ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ବାଚସ୍ପତି
କଟକ(ଏନ୍.ଏମ୍.): କଟକର ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରି ରାଜ୍ୟର ଶୁଭ ମନାସୀଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତି ପଦ ଅଳଙ୍କୃତ କରିବା ପରେ ପ୍ରଥମ କରି ମା’ଙ୍କ ଦର୍ଶନ କରିଛନ୍ତି ଶ୍ରୀମତୀ ପାଢ଼ୀ । ଚଣ୍ଡୀ ମନ୍ଦିରରେ ସ୍ୱତନ୍ତ୍ର ଭାବେ ପୂଜାପାଠ କରିବା ସହ ମନ୍ଦିର ପ୍ରାଙ୍ଗଣରେ ଥିବା ସମସ୍ତ ଦେବଦେବୀଙ୍କ ଦର୍ଶନ କରି ମନ୍ଦିର ଡାଏରୀରେ ସ୍ୱାକ୍ଷର କରିବା ସହ ନିଜର ମନ୍ତବ୍ୟ ରଖିଥିଲେ ବାଚସ୍ପତି । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାଚସ୍ପତିଙ୍କୁ ମା’କଟକ ଚଣ୍ଡୀଙ୍କ ଏକ ଫଟୋଚିତ୍ର ଉପହାର ପ୍ରଦାନ କରାଯାଇଥିଲା । ଏହାପରେ ସ୍ଥାନୀୟ ବିଜୁପଟ୍ଟନାୟକ ଛକସ୍ଥିତ ଶାରଳା ଭବନରେ ଆୟୋଜିତ ବୈଷ୍ଣବ ସମ୍ମିଳନୀରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଯୋଗଦେଇଥିଲେ । ତେବେ ଚଣ୍ଡୀମନ୍ଦିର ଦର୍ଶନ କରିବା ପରେ ବାଚସ୍ପତି ଖୁସି ପ୍ରକାଶ କରିବା ସହ ମାତୃ କରୁଣା ଲାଭକରିଥିବା କହିଛନ୍ତି । ଏହି ଅବସରରେ କଟକ ବିଜେପିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।