ମାହାଙ୍ଗାରେ ହନିଟ୍ରାପ: ନିଲମ୍ବିତ ହେଲେ ମହିଳା ଥାନା ଅଧିକାରୀ, ୩ଗିରଫ

#କଟକ(ଏନ୍‌.ଏମ୍‌.): ଭୁବନେଶ୍ୱର କିମ୍ବା ଆଉ କେଉଁ ବିଳାସପୂର୍ଣ୍ଣ ସହର ନୁହେଁ। କଟକର ସହରାଞ୍ଚଳରେ ବି ଘଟିନି ଏମିତି ସ୍ଥିତି। ହେଲେ ଚର୍ଚ୍ଚାରେ ଏବେ କଟକ ଗ୍ରାମାଞ୍ଚଳ। ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ହନିଟ୍ରାପ ଭଳି ଲଜ୍ଜାଜନକ ଘଟଣା। ଯାହାକୁ ନେଇ କଟିକଟାରୁ କଲିକତା ଆଉ ବଡ଼ଚଣାରୁ ବାରିପଦା ଯାଏ ଚାଲିଛି ଚର୍ଚ୍ଚା। ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ହନିଟ୍ରାପର କଳା କାରନାମା। ରାଜ୍ୟର କଳାସଂସ୍କୃତି ସମ୍ପର୍ଣ୍ଣ ମାହାଙ୍ଗା ମାଟି ହୋଇଛି ବଦନାମ। ରାଜନୀତି କ୍ଷେତରେ ସୁନାମ ଅର୍ଜନ କରିଥିଲା ମାହାଙ୍ଗା। ମାତ୍ର ରାଜନେତାଙ୍କ ଲାଗି ମାହାଙ୍ଗା ବଦନାମ ହୋଇଥିବା ବେଳେ ହନିଟ୍ରାପକୁ ନେଇ ହରଡ଼ଘଣାରେ ୨ଜଣ ଗଣମାଧ୍ୟମ ପ୍ରତିନିଧି। ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କର ରହିଛି ରାଜନେତାଙ୍କ ସହ ସମ୍ପର୍କ। ଆଉ ଏବେ ହନିଟ୍ରାପରୁ ହାତକଡ଼ି। ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ଜଣେ ମହିଳା ପୋଲିସ ଅଧିକାରୀଣୀ। ହାତକଡ଼ି ପକାଉଥିବା ଥାନାର ମହିଳା ଅଧିକାରୀଙ୍କ ଜାଣତରେ ଚାଲୁଥିଲା ହନିଟ୍ରାପ କାରବାର। ହେଲେ ଫସିଗଲେ ଥାନାର ମହିଳା ଅଧିକାରୀ। ପ୍ରାପ୍ତ ସୂଚନା ଅନୁଯାୟୀ, ନିଜର ଦମ ଦେଖାଇବାକୁ ଯାଇ ଉଠାଇ ନେଇଥିଲେ ଔଷଧ ଦୋକାନୀଙ୍କୁ। ଦୋକାନୀଙ୍କ ମୁକୁଳେଇବା ଲାଗି ଦଲାଲ ସାଜିଥିଲେ ୨ ସାମ୍ବାଦିକ ଏବଂ ଜଣେ ଚାହା ଦୋକାନୀ। ମାତ୍ର ସମୟ ଦେଇନଥିଲା ସାଥ। ମୁହଁ ଖୋଲିଦେଲେ ଔଷଧ ଦୋକାନୀଙ୍କ ପୁଅ। ଯାଜପୁର ପାଣିକୋଇଲିର ଏସପି ଅଫିସରେ କରିଦେଲେ ଅଭିଯୋଗ। ଆଉ କଥା ଦାଣ୍ଡରୁ ଯାଇ ହାଟରେ ଗଡିଲା। ପୁଲିସ ନିଜର ଛବି ବଞ୍ଚାଇବାକୁ ଯାଇ ବାନ୍ଧିଛି ୩ ଜଣଙ୍କୁ। ହେଲେ ମହିଳା ଅଧିକାରୀଙ୍କ ଛାଇ ମାଡ଼ିବାକୁ ଆଇନକୁ ଲାଗୁଛି ବୋଧେ ଡ଼ର। ଆଗରୁ ଶୁଣିଛୁ ନାରୀର ଶତ୍ରୁ ନାରୀ। ଯାହାର ପ୍ରମାଣ ହେଉଛନ୍ତି ଏହି ଥାନା ମହିଳା ଅଧିକାରୀ। ତାଙ୍କର ଏଭଳି କାରନାମା ଚାଲିଥିଲା ବେଶ କିଛି ବର୍ଷ ହେଲା। ନିଜେ ପକେଟ ଭରୁଥିଲେ, ଅନ୍ୟକୁ ବି ଦେଉଥିଲେ। ହେଲେ ମହିଳା ଅଧିକାରୀ ଜାଣି ନଥିଲେ ବଦଳି ପରେ ଫସିଯିବେ। ଏହି ମହିଳା ଅଧିକାରୀ ଜଣକ ବେଶ କିଛି ବର୍ଷ ଧରି ରହିଥିଲେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନାରେ। ସେଠାରେ ଚାଲିଥିଲା ଏଭଳି କାରନାମା। କିଛିଦିନ ପୂର୍ବରୁ ମ୍ୟାଡ଼ମଙ୍କର ହୋଇଥିଲ ଟ୍ରାନ୍ସଫର। ବଦଳି ପରେ ବି ବଦଳି ନଥିଲା ସ୍ୱଭାବ। ଆରମ୍ଭ କରିଥିଲେ ଅପରେସନ। ହେଲେ ଏଥର ଖସିଗଲା ଗୋଡ଼। ଚର୍ଚ୍ଚାର ପରିଧିରେ ଅଛନ୍ତି ଏହି ମହିଳା ଅଧିକାରୀ ଜଣକ। ସେ ନିଲମ୍ବିତ ହୋଇଛନ୍ତି କିନ୍ତୁ ବନ୍ଧା ହୋଇନାହାନ୍ତି।

Leave a Reply

Your email address will not be published. Required fields are marked *