ମାନସ ରଞ୍ଜନ ସାହୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
#ଭୁବନେଶ୍ୱର(ଏନ୍.ଏମ୍.): ଡାକ୍ତର ମାନସ ରଞ୍ଜନ ସାହୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବର ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ମେଡିକାଲ ସାଇନ୍ସ ପ୍ରତିଷ୍ଠାନରେ ଜେନେରାଲ ସର୍ଜରୀ ବିଭାଗର ମୁଖ୍ୟଭାବେ କାର୍ଯ୍ୟରତ ଡାକ୍ତର ସାହୁଙ୍କୁ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ୪ ବର୍ଷ ଅବା ସେ ୭୦ବର୍ଷ ବୟସ(ଯାହା ପ୍ରଥମେ ହେବ) ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଡାକ୍ତର ସାହୁ ଚେନ୍ନାଇସ୍ଥିତ ଏସଆରସିଏମସିଆରଆଇରୁ ସର୍ଜିକାଲ ଗାଷ୍ଟ୍ରୋଏଂଟନୋଲୋଜିରେ ଫେଲୋସିପ୍ ପାଇଛନ୍ତି । ତାଙ୍କର ଅଧ୍ୟାପନା କ୍ଷେତ୍ରରେ୨୬ବର୍ଷରୁ ଅଧିକ ଅବଧିର ଅଭିଜ୍ଞତା ରହିଛି । ସେ ୬ବର୍ଷରୁ ଅଧିକ ସମୟ ଧରି ପ୍ରଫେସର ଅବା ସମତୁଲ ପଦବୀରେ କାର୍ଯ୍ୟ କରିଛନ୍ତି । ଏମସ ଜେନେରାଲ ସର୍ଜରୀ ବିଭାଗର ମୁଖ୍ୟ ଓ ମେଡିକାଲ ବୋର୍ଡ ଅଧ୍ୟକ୍ଷ ଭାବେ ତାଙ୍କର ପ୍ରଶାସନିକ ଦକ୍ଷତା ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ, ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାଦିନରୁ ଏହାର କୁଳପତି ଭାବେ ଡାକ୍ତର ଦତ୍ତାତ୍ରେୟ ହୋତା ଦାୟିତ୍ୱ ତୁଲାଇ ଆସୁଛନ୍ତି ।