ମନୋଜ ଆହୁଜା ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ

ମନୋଜ ଆହୁଜା ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ

ମନୋଜ ଆହୁଜା ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ


ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ନୂତନ ଭାବେ ମୁଖ୍ୟ ଶାସନ ସଚିବ ଯୋଗଦେବେ ମନୋଜ ଆହୁଜା । ଆଜି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସେ ନିଯୁକ୍ତି ପାଇଛନ୍ତି । ଶ୍ରୀ ଆହୁଜାଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି) ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଜୁନ୍ ୩୦ ତାରିଖରେ ଅବସର ନେବେ । ସେ ଅବସର ଗ୍ରହଣ କରିବା ପରେ ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ସହିତ ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି)ର ସଚିବ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିବେ । ତେବେ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଆହୁଜା ଚଳିତ ବର୍ଷ ଡିସେମ୍ବରରେ ସରକାରୀ ଚାକିରିରୁ ଅବସର ନେବେ । ଅବଶ୍ୟ ତାଙ୍କର କାର୍ଯ୍ୟକାଳକୁ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ବୃଦ୍ଧି କରିପାରନ୍ତି । ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ଶେଷ ହୋଇଯାଇଥିବାରୁ ଏବେ ରାଜ୍ୟରେ ପ୍ରଶାସନିକ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ଏମିତିକି ଉନ୍ନୟନ କମିଶନରଙ୍କ ଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିପାରେ । କେନ୍ଦ୍ରୀୟ ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ ରାଜ୍ୟର ପ୍ରଥମ ବିଜେପି ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଶ୍ରୀ ଆହୁଜାଙ୍କ ଗୃହ କ୍ୟାଡରକୁ ଫେରିଯିବାକୁ ଅନୁମତି ଦେଇଥିଲେ । ତେଣୁ ଆଶା କରାଯାଉଥିଲା ତାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପାଇଁ ରାଜ୍ୟ ସରକାର ମନସ୍ତ କରିଛନ୍ତି । ତେବେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ମନୋଜ ଆହୁଜା କହିଛନ୍ତି ଯେ ସେ ଓଡ଼ିଶା ଫେରିବାକୁ ନେଇ ଖୁସି ଅଛନ୍ତି । ସେ ସପ୍ତାହକ ଭିତରେ ଓଡ଼ିଶା ଫେରିବେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ