ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବିତରଣ

ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବିତରଣ
‘ବିଭିନ୍ନ କେନ୍ଦ୍ର ଓ ଭ୍ରାମ୍ୟମାଣ ଶିବିର ଜରିଆରେ ବିତରଣ ଜାରି ରହିବ’


#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପ୍ରାୟ ୪ଲକ୍ଷ ଭିନ୍ନକ୍ଷମ ରହିଥିବାବେଳେ ସେମାନଙ୍କୁ ଆବଶ୍ୟକୀୟ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତଥା ଅନ୍ୟାନ୍ୟ ସହାୟକ ସରଞ୍ଜାମ ଯୋଗାଇ ଦିଆଯିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଆଜି ୟୁନିଟ୍‌-୬ସ୍ଥିତ ବିଏମ୍‌ସି କଲ୍ୟାଣମଣ୍ଡପରେ ଆୟୋଜିତ ଏକ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ଜୟପୁରସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଶାଖା ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର ଖୋର୍ଦ୍ଧା ଠାରେ କାର୍ଯ୍ୟକରୁଛି ଏବଂ ଏହି ସଂସ୍ଥା ସାରା ରାଜ୍ୟରେ ବିଭିନ୍ନ କେନ୍ଦ୍ର ତଥା ଭ୍ରାମ୍ୟମାଣ ଶିବିର ଜରିଆରେ ଭିନ୍ନକ୍ଷମମାନଙ୍କୁ ସହାୟକ ଉପକରଣ ଯୋଗାଇଦେବ ।
ଗତ ୧୯ ତାରିଖଠାରୁ ଆରମ୍ଭ ହୋଇଥିବା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ ସପ୍ତାହର ଉଦ୍‌ଯାପନୀ ଅବସରରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ୭୨ଟି କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ, ୫ଟି ହୁଇଲ୍ ଚେୟାର, ୨ଟି ଟ୍ରାଇ-ସାଇକେଲ୍‌, ୫ ହଳ ସହାୟକ ଆଶାବାଡ଼ି ଏବଂ ୨ଟି ଏଲ୍‌ବୋ କ୍ରଚ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସମେତ ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଡେପୁଟି ମେୟର ମଞ୍ଜୁଲତା କହଁର, ଡାକ୍ତର ଶୀତିକଣ୍ଠ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହା ବ୍ୟତୀତ ଅତିରିକ୍ତ ମହାନିର୍ଦ୍ଦେଶକ (କ୍ରାଇମ୍‌) ଅରୁଣ ବୋଥ୍ରାଙ୍କ ସମେତ ୩୨୬୨ ଜିଲ୍ଲା ରୋଟାରୀ ସଂଗଠନର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ କହିଲେ ଯେ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର ମିଳିତ ଭାବେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ୨୮ରୁ ଅଧିକ ଭ୍ରାମ୍ୟମାଣ ଶିବିର ଆୟୋଜନ କ୍ରମେ ସହାୟକ ଉପକରଣ ବିତରଣ କରିସାରିଛନ୍ତି ଓ ପୂର୍ବରୁ ଅନୁଷ୍ଠିତ ଏହି ଶିବିରଗୁଡ଼ିକ ମାଧ୍ୟମରେ ୫୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁରୂପ ଭାବରେ କୃତ୍ରିମ ଉପକରଣ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *