ବିଜ୍ଞାନ ପ୍ରଚାର ସମିତିର ସ୍ୱତନ୍ତ୍ର ଆଲୋଚନାଚକ୍ର
#କଟକ(ଏନ୍.ଏମ୍.): ବିଜ୍ଞାନ ପ୍ରଚାର ସମିତି ପକ୍ଷରୁ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଡ. ନିତ୍ୟାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦୋଳମୁଣ୍ଡାଇ ସ୍ଥିତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ଥିଲା ‘ଡାକ୍ତରୀ ଏବଂ ଇଞ୍ଜିନିୟରିଂ ବିଷୟର ପାଠ୍ୟ ପୁସ୍ତକ ଗୁଡ଼ିକ ଓଡ଼ିଆ ଭାଷା ମାଧ୍ୟମରେ ଶିକ୍ଷା ଦିଆଯିବା ଉଚିତ କି ନୁହେଁ’ ଏଥିରେ ୬ଜଣ ବକ୍ତା ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ। ସମିତି ସଦସ୍ୟ ଡଃ.ଦେବେନ୍ଦ୍ର ନାଥ ସାହୁଙ୍କ ପ୍ରସ୍ତାବନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ସେ କହିଥିଲେ ନୂତନ ଜାତୀୟ ଶିକ୍ଷାନୀତିରେ କେଉଁ ଠାରେ ବୈଷୟିକ ଶିକ୍ଷା ପୁସ୍ତକଗୁଡ଼ିକ ଓଡ଼ିଆ ଭାଷାରେ ଲେଖାଯିବା ଆବଶ୍ୟକ ବୋଲି ଲେଖାଯାଇ ନାହିଁ। ଯଦି ଏହା ଓଡ଼ିଆ ଭାଷାରେ ଲେଖାଯାଏ ତେବେ ଏଥିରେ କୌଣସି ଅସୁବିଧା ନାହିଁ। ଓଡ଼ିଆ ଭାଷାରେ ବୈଷୟିକ ପୁସ୍ତକ ଗୁଡ଼ିକ ଅନୁବାଦ କରିବା କଷ୍ଟସାଧ୍ୟ। ତେଣୁ ଯେଉଁ ଶିକ୍ଷକମାନେ ଶିକ୍ଷାଦାନ କରିବେ ସେମାନଙ୍କର ଏଥିରେ ଯଥେଷ୍ଟ ଦକ୍ଷତା ଥିବା ଆବଶ୍ୟକ ଏବଂ ଯେଉଁମାନେ ଏହାକୁ ପଢ଼ିବେ ସେମାନଙ୍କର ମଧ୍ୟ ଓଡ଼ିଆ ଭାଷା ପ୍ରତି ଆଗ୍ରହ ଥିବା ଆବଶ୍ୟକ। ନିମନ୍ତ୍ରିତ ବକ୍ତା ଇଂ. ମୈତ୍ରୀ ମିଶ୍ର ନିଜର ବକ୍ତବ୍ୟରେ କହିଥିଲେ ଭାରତରେ ଅନେକ ଭାଷା ପ୍ରଚଳିତ। ବୈଷୟିକ ପୁସ୍ତକଗୁଡ଼ିକ ସେହିସବୁ ଭାଷାରେ ଲେଖିବା ସମ୍ଭବପର ନୁହେଁ। ଓଡ଼ିଆ ଭାଷାରେ କିଛି ପୁସ୍ତକ ଲେଖାଗଲେ ଅସୁବିଧା ନାହିଁ। ମାତ୍ର ଆମ ଛାତ୍ର, ଛାତ୍ରୀ ମାନଙ୍କୁ ବିଶ୍ୱସ୍ତରରେ ନିଜର ସଂଯୋଗ ସ୍ଥାପନ ଏବଂ ଗବେଷଣା କରିବାକୁ ହେଲେ ଇଂରାଜୀରେ ଲିଖିତ ଅନେକ ପୁସ୍ତକ ଗୁଡ଼ିକୁ ପଢ଼ିବାର ଆବଶ୍ୟକତା ରହିଛି। ତେଣୁ ଭାଷା ଭିତ୍ତିରେ ଆମେ ନିଜର ମନକୁ ସଙ୍କୁଚିତ ନକରି ଜ୍ଞାନକୁ ଠିକ୍ ଭାବରେ ଗ୍ରହଣ କରିବା ଆବଶ୍ୟକ। ପ୍ର. ଇଂ. ମୀରା ବିଶ୍ୱବନ୍ଦ୍ୟା ଦୁଇଟି ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରଥମରେ ସେ ଗ୍ରାମୀଣ ପରିବେଶରୁ ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଲାଭ ଏବଂ ଜଟିଳ ପାଠ୍ୟ ଗୁଡ଼ିକୁ ବୁଝିବାରେ ଏହା ନିଶ୍ଚୟ ସହାୟକ ହେବ ବୋଲି ସେ କହିଥିଲେ। ସେଥିପାଇଁ ଅନେକ ପୁସ୍ତକ ଓଡ଼ିଆ ଭାଷାରେ ପ୍ରକାଶିତ ହେବା ଆରମ୍ଭ ହୋଇସାରିଲାଣି। ଏହା ନିଶ୍ଚୟ ସ୍ୱାଗତ ଯୋଗ୍ୟ। ଏହାର ଦ୍ୱିତୀୟ ଦିଗଟି ହେଲା ନିର୍ଦ୍ଦିଷ୍ଟ ଭାଷା ଭିତ୍ତିରେ ଆମେ ନିଜକୁ ସିମୀତ ରଖିଦେଲେ ଉଚ୍ଚତ୍ତର ଶିକ୍ଷା କ୍ଷେତ୍ରରେ, ଗବେଷଣା କ୍ଷେତ୍ରରେ ଏହା ବାଧା ସୃଷ୍ଟି କରିବ। ପ୍ର. ଡାକ୍ତର ନିରଞ୍ଜନ ମହାନ୍ତି ନିଜର ବକ୍ତବ୍ୟରେ କହିଥିଲେ ଡାକ୍ତରୀ ପାଠ୍ୟ ପୁସ୍ତକ ଗୁଡ଼ିକ ଓଡ଼ିଆ ଭାଷାରେ ରଚିତ ହେଲେ ଯେଉଁମାନେ ଅଧିକ ଲୋକ ସମ୍ପର୍କରେ ଅଛନ୍ତି ପାରା ମେଡ଼ିକାଲ ଷ୍ଟାଫ, ନର୍ସ, ଆୟୁଷ ଡାକ୍ତର ସେମାନଙ୍କୁ ଏହା ଅଧିକ ସହାୟକ ହେବା । ମାତ୍ର ଯେଉଁମାନେ ଉଚ୍ଚତର ଗବେଷଣା କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ଇଂରାଜୀ ଭାଷାରେ ଲିଖିତ ଅନେକ ପୁସ୍ତକ ଏବଂ ଜର୍ଣାଲ ପଢିବାକୁ ହେବ ,ତେଣୁ ଆଗକୁ ବଢ଼ିବାକୁ ହେଲେ ଆମକୁ ଛାତ୍ର, ସମାଜ ଏବଂ ବିଶ୍ୱ ପାଇଁ କଣ ଆବଶ୍ୟକ ଚିନ୍ତା କରିବାକୁ ପଡ଼ିବ। ସେହିପରି ଡ. ତପନ କୁମାର ପାତ୍ର ନିଜର ବକ୍ତବ୍ୟ ରେ କହିଥିଲେ ନିଜର ମନକଥାକୁ ପ୍ରକାଶ କରିବାରେ, ଅନ୍ୟକୁ ସହଜରେ ବୁଝିବାରେ ମାତୃଭାଷା ଅନେକାଂଶ ରେ ସାହାଯ୍ୟ କରିଥାଏ। ଡାକ୍ତରୀ ଛାତ୍ର, ଛାତ୍ରୀମାନଙ୍କୁ ନିଜ ଭାଷାରେ ଜ୍ଞାନ ଅହୋରଣ କରିବାରେ ମଧ୍ୟ ସହାୟକ ହେବ। ମାତ୍ର ବର୍ତ୍ତମାନ ସମୟରେ ନୂତନ ଚିକିତ୍ସା ପଦ୍ଧତିକୁ ବୁଝିବା ଏବଂ ବିଶ୍ୱ ସ୍ତରରେ ଜ୍ଞାନର ଆଦାନ ପ୍ରଦାନ ନିମନ୍ତେ ବିଶ୍ୱସ୍ତରୀୟ ଭାଷାର ଆବଶ୍ୟକତା ରହିଛି। ଡାକ୍ତର ନିରଞ୍ଜନ ରାଉତ ବକ୍ତବ୍ୟ ରଖିଥିଲେ ସମସ୍ତ ଛାତ୍ର, ଛାତ୍ରୀ ନିଜ ମାତୃଭାଷା, ରାଷ୍ଟ୍ରଭାଷା ଏବଂ ଅନ୍ତର୍ଜାତୀୟ ଭାଷାରେ ଦକ୍ଷତା ରଖିବା ଆବଶ୍ୟକ। ଓଡ଼ିଆ ଭାଷାରେ ବୈଷୟିକ ପୁସ୍ତକ ଲେଖାଯିବା ସ୍ୱାଗତ ଯୋଗ୍ୟ। ପାଠକ ଯେଉଁ ଭାଷାରେ ଇଚ୍ଛା କରିବେ ପଢିପାରିବେ। ଯେପରି ଅନ୍ୟ ଦେଶ ମାନଙ୍କରେ ପ୍ରଚଳିତ ଭାଷା ଅନୁସାରେ ପୁସ୍ତକ ସବୁ ରହିଛି, ସେହିପରି ଓଡ଼ିଆ ଭାଷାରେ ଲିଖିତ ବୈଷୟିକ ପୁସ୍ତକ ଆମ ଭାଷାକୋଷ କୁ ନିଶ୍ଚୟ ସମୃଦ୍ଧ କରିବ। ପ୍ରଫେସର୍ ଡାକ୍ତର ନିରଞ୍ଜନ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ ଓଡ଼ିଆରେ ଲିଖିତ ଡାକ୍ତରୀ ପୁସ୍ତକରୁ ଖଣ୍ଡିଏ ଲେଖାଏଁ ଆମମାନଙ୍କ ଘରେ ରହିଲେ କିଛି ଅସୁବିଧା ନାହିଁ। ଇଚ୍ଛା ଅନୁସାରେ ଆମେମାନେ ସେଗୁଡିକ ପଢ଼ି ଜ୍ଞାନ ଆହରଣ କରିପାରିବା। ଆବଶ୍ୟକ ହେଉଛି ଭବିଷ୍ୟତରେ ପ୍ରତ୍ୟେକ କ୍ଷେତ୍ରରେ ଆସିବାକୁଥିବା ନୂତନ ରୋବଟିକ୍ ଟେକନୋଲୋଜି କେଉଁ ଭାଷାକୁ ପ୍ରାଧାନ୍ୟତା ଦେବ। ଆଲୋଚନା ପରେ ସମିତିର ସଭ୍ୟମାନଙ୍କର ବିଷୟଟି ଉପରେ ସେମାନଙ୍କ ମତାମତ ନିଆଯାଇଥିଲା। ଡ. ଭାରତୀ ବେହେରା, ମହେନ୍ଦ୍ର କାୟସ୍ଥ , ଡ. ସୁବାସିନୀ ଲେଙ୍କା, ସୁଲଚନା ଦାଶ, ବରଦା ଚରଣ ମହାନ୍ତି, ଡ. ଅକ୍ଷୟ ମିଶ୍ର, ଡ. ଶିବ ଶଙ୍କର ନାୟକ, ସୁଜିତାଭ ଶତପଥୀ ନିଜ ନିଜର ମତ ରଖିଥିଲେ। ସଭାପତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ବିଭିନ୍ନ ଭାଷାରେ ଲିଖିତ ବୈଷୟିକ ପୁସ୍ତକ ଗୁଡିକର ଇତିହାସ ଏବଂ ବର୍ତ୍ତମାନର ବୈଜ୍ଞାନିକ ଲେଖାରେ ଭାଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହିତ ଅନ୍ୟ ଉପସ୍ଥିତ ସଭ୍ୟମାନେ ଥିଲେ ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ, ଡ. ପ୍ରତିଭା କୁମାରୀ ନନ୍ଦ, ଅରବିନ୍ଦ କର, ଡ. ହେମନ୍ତ ପରିଡ଼ା, ରଶ୍ମିରଞ୍ଜନ ବିଶ୍ୱାଳ, ଇଂ.ଧୀରେନ୍ଦ୍ର କୁମାର ବିଶ୍ୱାଳ, ଡ. ନିହାର ରଞ୍ଜନ ସିଂହ, ଡ. ଦୁର୍ଗା ପ୍ରସାଦ ବାରିକ୍, ବ୍ରଜବନ୍ଧୁ ପୃଷ୍ଟି, ପ୍ରକାଶ ରଞ୍ଜନ ପରିଡ଼ା, ଡାକ୍ତର ସୁଲିପ୍ତ କୁମାର ମହାନ୍ତି। କାର୍ଯ୍ୟକ୍ରମରେ ବିବରଣୀ ପାଠ କରିଥିଲେ ସମ୍ପାଦକ ଡାକ୍ତର ଦୀପକ ରାଜ୍। ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସମ୍ପାଦକ କବିତା ପାଟ୍ଟଶାଣୀ।