‘ବିଜେପି ସରକାର’ର ଦ୍ୱିତୀୟ ଦିନରେ ରାଜ୍ୟରୁ ହଟିଲା ୫ଟି ଓ ମୋ’ ସରକାର
ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତଘଟିଛି । ଚଳିତ ସାଧାରଣ ନିର୍ବାଚନରେ ବିଜେପି ବହୁ ମତ ହାସଲ କରି ସରକାରକୁ ଆସିବା ପରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ରାଜ୍ୟରେ ବିଜେପି ସରକାର ଆରମ୍ଭ ହୋଇଥିବାବେଳେ ମୋହନ୍ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପରିଚାଳିତ ହେଉଛି । ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ଶପଥ ଗ୍ରହଣ କରିବାର ଅଳ୍ପ ସମୟରେ ବୁଧବାର ରାତିରେ କ୍ୟାବିନେଟ୍ ବୈଠକ କରିଥିଲେ । ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଯେଉଁଥିରେ ଶ୍ରୀମନ୍ଦିର ପାଇଁ ୨ଟି ଓ ଚାଷୀ ଓ ମହିଳାଙ୍କ ପାଇଁ ୨ଟି ପ୍ରସ୍ତାବ ରହିଥିଲା । ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ରାଜ୍ୟରୁ ୫ଟି ଓ ମୋ ସରକାର ହଟିବା ନେଇ ନିର୍ଦ୍ଦେଶାନମା ଜାରି ହୋଇଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବଙ୍କ ନିର୍ଦ୍ଦେଶ ହୋଇଛି । ସୂଚନାଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ୫-ଟି ବ୍ୟବସ୍ଥା ଲାଗୁ ହୋଇଥିଲା । ନବୀନ ପଟ୍ଟନାୟକ ୫ମ ପାଳିରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ । ୫-ଟି (ଟିମୱାର୍କ, ଟ୍ରାନ୍ସପେରିଏନ୍ସି, ଟେକ୍ନୋଲୋଜି, ଟାଇମ୍ ଓ ଟ୍ରାନ୍ସଫରମେସନ) ଆଧାରରେ ରାଜ୍ୟର ବିକାଶ ହୋଇପାରିବ ବୋଲି ନବୀନ ସରକାର ଚିନ୍ତା କରିଥିଲେ । ୫ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ରୂପାନ୍ତରିତ କରିଥିଲେ । ସେହିପରି ମୋ’ ସରକାର ଅଧିନରେ ମଧ୍ୟ ବିକାଶମୂଳକ କାର୍ଯ୍ୟ କରିଥିଲେ । ତେବେ ୫-ଟିରେ ଅବ୍ୟବସ୍ଥା ନେଇ ବିରୋଧୀ, ଠିକାଦାର ଅନେକ ସମୟରେ ଅଭିଯୋଗ ମଧ୍ୟ ଆଣିଥିଲେ । ତେବେ ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଫାଇଭ ଟି ଭଳି କିଛି ଛାଟ ରହିବ କି ନାହିଁ ତାହା ଜଣାପଡ଼ିନଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।