ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀରେ ୭ମ ବ୍ୟାଚ ଡିଏସପି ଏବଂ ୧୧ତମ ବ୍ୟାଚ ସବଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀରେ ୭ମ ବ୍ୟାଚ ଡିଏସପି ଏବଂ ୧୧ତମ ବ୍ୟାଚ ସବଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଠାରେ ୭ମ ବ୍ୟାଚ ଡିଏସପି (ପ୍ରୋବେସନର) ଏବଂ ୧୧ତମ ବ୍ୟାଚ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ଦେଶ, ସମାଜ ତଥା ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା, ସୁରକ୍ଷା ଏବଂ ନିରାପତ୍ତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରତିକୂଳ ପରିସ୍ଥିତି ସମୟରେ ସାଧାରଣ ଜନତାଙ୍କ ପ୍ରତି ସହାନୁଭୁତି, ଦୟା ଏବଂ ପରୋପକାର ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ମତପ୍ରକାଶ କରିଛନ୍ତି । ଏକ ନୂତନ ଆଶା, ଉତ୍ସାହ ଏବଂ ଉଦ୍ଦୀପନାର ସହ କାର୍ଯ୍ୟ କ୍ଷେତ୍ରରେ ଯୋଗଦେଇ ରାଜ୍ୟ ପୁଲିସ ପାଇଁ ସୁନାମ ଆଣିବାକୁ ଡିଜିପି ଶ୍ରୀ ବଂସଲ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ । ମହିଳା ଏବଂ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ସମ୍ବେଦନଶୀଳତା ଓ ନିରପେକ୍ଷତାର ସହ କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ମାଓବାଦୀ ମୁକାବିଲାରେ ରାଜ୍ୟ ପୁଲିସର ଭଲ ପ୍ରଦର୍ଶନ ଯୋଗୁଁ ସେମାନଙ୍କର ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି । ତଥାପି ଆଗାମୀ ଦିନରେ ନେତୃତ୍ୱ ନେଇ ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ହୃଦୟ ଜିତିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତ୍ୟକ୍ଷ ଡିଏସପି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଛି ଏବଂ ଭବିଷ୍ୟତରେ ଏହି ଅଧିକାରୀମାନେ ପୁଲିସ ବିଭାଗର ନେତୃତ୍ୱର ଦାୟିତ୍ୱକୁ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ଡିଜିପି ଶ୍ରୀ ବଂସଲ ଆଶାବ୍ୟକ୍ତ କରିଛନ୍ତି । ଏହି ଏକାଡେମୀରୁ ପାସ କରିଥିବା ପୂର୍ବ ବ୍ୟାଚର ଡିଏସପି ମାନେ ବୃତ୍ତିଗତ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ଡିଜିପି କହିଥିଲେ । ରାଜ୍ୟ ସରକାର ପୁଲିସ ନିଯୁକ୍ତି ବୋର୍ଡ ଗଠନ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ୨୦୨୩ ମସିହାରେ ୪୬୦୦ରୁ ଅଧିକ କନେଷ୍ଟବଳଙ୍କୁ ନିଯୁକ୍ତ ହୋଇଛନ୍ତି ଏବଂ ସେମାନଙ୍କ ତାଲିମ ଶେଷ ପରେ ପୁଲିସ ଫୋର୍ସରେ ଖୁବଶୀଘ୍ର ଯୋଗଦେବାକୁ ଯାଉଛନ୍ତି ବୋଲି ସେ କହିଥିଲେ । ସେହିପରି ୪୭୦ ସବ୍‌-ଇନ୍ସପେକ୍ଟରଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ଡିଜିପି ଶ୍ରୀ ବଂସଲ ସୂଚନା ଦେଇଥିଲେ । ସାରା ଭାରତ ବର୍ଷରେ ବିଜୁପଟ୍ଟନାୟକ ଷ୍ଟେଟ ପୋଲିସ ଏକାଡ଼େମୀର ସ୍ୱତନ୍ତ୍ର ପରିଚୟ ସମ୍ପର୍କରେ ଡିଜିପି ଶ୍ରୀ ବଂସଲ ମତବ୍ୟକ୍ତ କରିବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହି ପୁଲିସ ଏକାଡେମୀ ଆଦର୍ଶ ପାଲଟିଛି ବୋଲି କହିଥିଲେ । ୨୦୨୦-୨୧ ମସିହାରେ ଶ୍ରେଷ୍ଠ ପୁଲିସ ତାଲିମକେନ୍ଦ୍ର ଭାବେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଟ୍ରଫି ହାସଲ କରି ଏକ ସ୍ୱର୍ଣ୍ଣୀମ ଅଧ୍ୟାୟ ସୃଷ୍ଟି କରିଛି । ଏହି ଏକାଡ଼େମୀରେ ପ୍ରଦାନ କରାଯାଇଥିବା ତାଲିମ ଆଗାମୀ ଦିନରେ ନବନିଯୁକ୍ତ ଅଧିକାରୀମାନଙ୍କୁ ଆହୁରି ଦାୟିତ୍ୱବାନ ଏବଂ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହେବ ବୋଲି ଡିଜିପି ଆଶବ୍ୟକ୍ତ କରିଥିଲେ । ଏହି ଦୀକ୍ଷାନ୍ତ ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ଆଇଜିପି ସାଇନି ଏସ୍‌.ଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ପଦଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡିଏସପି (ପ୍ରୋବେସନର)ଏବଂ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା । ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଡିଏସପି (ପ୍ରୋବେସନର)ସୁଚିସ୍ମିତା ଦାସ, ଲରେନ ରାଉତରାୟ, ପ୍ରଦୋଷ ପ୍ରଧାନ, ପିପି ଶୁଭ୍ରଜିତ ବିଶ୍ୱାଳ, ମେରଶୀ ରାଣୀ ପୂର୍ତ୍ତିଙ୍କୁ ଡିଜିପି ସମ୍ବର୍ଦ୍ଧିତ କରିଥିଲେ । ସେହିପରି କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରସସ୍ମିତା ବେହେରା, କାଜଲ ବାଗ, ପ୍ରିୟଙ୍କା ସାହୁ, ସୂରଜ କଂସାରଲି, ପ୍ରିୟଦର୍ଶିନୀ ବରାଳ, ହେମାରାଣୀ ଶର୍ମା, ସୂଜିତ କୁମାର ମହାନ୍ତ, ଶୁଭକାନ୍ତ ସ୍ୱାଇଁ, ସମୀର ଶେଖର ଜୟସିଂଙ୍କୁ ଡିଜିପି ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *