ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେ ନାହିଁ ଉଠାଦୋକାନୀ
କଟକ (ଏନ୍.ଏମ୍.): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିଷେଧାଦେଶ ଜାରି କରିଛନ୍ତି। ଜୋବ୍ରା ଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଛି। ଏହି ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ। ଏହି ନିୟମର ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ। ତଳ ବାଲିଯାତ୍ରା ପଡିଆରେ ଉଠା ଦୋକାନୀମାନଙ୍କୁ ସ୍ଥାନ ଦେବା ପାଇଁ ଉପଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ଏଥିସହ ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବା ପାଇଁ ଆର ଆଇ, ସହକାରୀ ଆରଆଇ ଏବଂ ଅମିନମାନଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଛି। କମିଟି ପୋଲିସ୍ ଓ କଟକ ମହାନଗର ନିଗମ କର୍ମଚାରୀମାନଙ୍କ ସହାୟତାରେ ଫୁଟପାଥ୍ ଓ ରାସ୍ତାକଡରେ ବସୁଥିବା ଉଠାଦୋକାନୀମାନଙ୍କୁ ଦିନରେ ଓ ରାତିରେ ଉଠାଇ ରାସ୍ତାକୁ ଅବରୋଧ ମୁକ୍ତ କରିବ।