ବାରବାଟୀ ଷ୍ଟାଡ଼ିୟମ ପ୍ରତି ରାଜ୍ୟସରକାରଙ୍କ ବୈମାତୃକ ମନୋଭାବ: କଟକ ମେୟର
କଟକ(ଏନ୍.ଏମ୍.): କଟକ ସହର ପ୍ରତି ବୈମାତୃକ ମନୋଭାବ ଦେଖାଉଛନ୍ତି ରାଜ୍ୟ ସରକାର । ପୂର୍ବରୁ ନବୀନ ସରକାର କଟକ ସହରର ଉନ୍ନତିକରଣ ପାଇଁ ଯେଉଁ ପଦକ୍ଷେପ ନେଇଥିଲେ ତାହାକୁ ଧୂଳିସାତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ବିଜେପିର ଡବଲ ଇଞ୍ଜିନ ସରକାର । କଟକର ଅନ୍ୟତମ ପରିଚୟ ସୃଷ୍ଟିକରିଥିବା ବାରବାଟୀ ଷ୍ଟାଡ଼ିୟମର ଉନ୍ନିକରଣ କ୍ଷେତ୍ରରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦୁଇଟି ବାକ୍ୟରେ ସାରିଦେବା କଟକବାସୀଙ୍କ ଭାବାବେଗକୁ ହତ୍ୟାକରାଯାଇଛି ବୋଲି ଅଭିଯୋଗ ଉଠାଇଛନ୍ତି କଟକ ମେୟର ସୁବାସ ସିଂହ । ରାଜ୍ୟସରକାର ରାଜ୍ୟର ଯେକୌଣସି ଠାରେ ନୂତନ ଷ୍ଟାଡିୟମ କରନ୍ତୁ ମନା ନାହିଁ କିନ୍ତୁ କଟକର ଐତିହ୍ୟକୁ ସୁଦୃଢ଼ କରୁଥିବା ବାରବାଟୀ ଷ୍ଟାଡ଼ିୟମକୁ ଅବହେଳା କରିବା କଟକବାସୀଙ୍କ ପାଇଁ ବିଶ୍ୱାସଘାତକତା ବୋଲି ମେୟର କହିଛନ୍ତି ।
ବାରବାଟୀ ଷ୍ଟାଡ଼ିୟମକୁ ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପେ୍ଲକ୍ସ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଆଭାସୀ ମାଧ୍ୟମରେ ଗତ ୨୭ତାରିଖରେ ଶିଳାନ୍ୟାସ କରିଥିଲେ । ଏଥିପାଇଁ ବିସିସିଆଇର ସବୁଜ ସଂକେତ ସହ ଖର୍ଚ୍ଚ ଆକଳନ କରାଯାଇଥିଲା । ବିସିସିଆଇ ବିଲଡିଂ କାମ କରିବା ସହ ରାଜ୍ୟ ସରକାର ପାରିପାର୍ଶିକ ଉନ୍ନତିକରଣ ଆଦି ବିଶ୍ୱସ୍ତରୀୟ ଢାଞ୍ଚାରେ ପ୍ରାୟ ୭ଶହ କୋଟି ଟଙ୍କା ବିନି ଯୋଗ କରାଯିବାକୁ ସ୍ଥିର କରାଯାଇ ଘୋଷଣା କରାଯାଇଥିଲା । ମାତ୍ର ବାରବାଟୀ ଷ୍ଟାଡିୟମ ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପେ୍ଲକ୍ସ କରିବା ଉପରେ ବିଭାଗୀୟ ମନ୍ତ୍ରୀ ଆଲୋଚନା ନକରିବା ଏବଂ ଏ ନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିବା ଦୁର୍ଭାଗ୍ୟ ଜନକ ବୋଲି ମେୟର ସୁବାସ ସିଂହ କହିଛନ୍ତି । ଏଥି ସହିତ ରାଜ୍ୟସରକାର ଏ ନେଇ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି ।