ବଡଠାକୁରଙ୍କ ଆବିର୍ଭାବ ଦିବସକୁ ଅନନ୍ତ ଜୟନ୍ତୀ ପାଳନ କଲା କଳକୀ ସେନା
କଟକ(ଏନ୍.ଏମ୍.): ବଡଠାକୁରଙ୍କ ଆବିର୍ଭାବ ଦିବସକୁ ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଅନନ୍ତ ଜୟନ୍ତୀ ଭାବେ ପାଳନ କରିଛି। ସ୍ଥାନୀୟ ବଙ୍ଗାଳୀସାହିସ୍ଥିତ ନିତାଇ ଗୌରାଙ୍ଗ ମଠରେ କଳକୀ ଦରବାର ଆୟୋଜନ ହୋଇଥିଲା। ସେନାର କଟକ ଜିଲ୍ଲା ପ୍ରଚାର କମିଟି ସଭାପତି କଳକୀରତ୍ନ ଲକ୍ଷ୍ମୀଧର ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆସରକୁ ମଠର ମହନ୍ତ ବାବାଜୀ ବୈଷ୍ଣବ ଚରଣ ଦାସ ମହାରାଜ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଭକ୍ତ ସଂଗ୍ରାମ କେଶରୀ ମହାନ୍ତି ଦଶାଅବତାର ସ୍ତୋତ୍ର ଓ ଶ୍ରୀଜଗନ୍ନାଥାଷ୍ଟକ ପାଠ କରିବାପରେ ସମ୍ମିଳିତ ଭାବେ କଳକୀ ଭଜନ ଗାନ କରାଯାଇଥିଲା। ଓଡିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ଆଇନଜୀବୀ ଆଲୋକ ପ୍ରସାଦ ନନ୍ଦ ବଡଠାକୁରଙ୍କ ଜନ୍ମଚରିତ ପାରାୟଣ କରିଥିଲେ। କଳକୀ ସେନାର କେନ୍ଦ୍ରୀୟ ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ ତଥା ମାଳିକା ଗବେଷକ ଆଇନଜୀବୀ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ମୁଖ୍ୟ ପ୍ରବକ୍ତା ଭାବେ ଯୋଗଦେଇ ଅବତାରବାଦ ସମ୍ପର୍କରେ ଉଲ୍ଲେଖ ଥିବା ଶାସ୍ତ୍ରୀୟ ପ୍ରମାଣର ସୂଚନା ଦେଇ ବଡଠାକୁରଙ୍କ ଜନ୍ମଦିବସକୁ ଅନନ୍ତ ଭଗବାନଙ୍କ ଜନ୍ମ ଦିବସ ଭାବେ ପାଳନ କରିବା ଯଥାର୍ଥ ବୋଲି କହିଥିଲେ। ଏହି ଅବସରରେ ସେନା ପକ୍ଷରୁ ରକ୍ଷାବନ୍ଧନ କରାଯିବା ସହିତ ଓଡ଼ିଆ ଜାତିର ଅନ୍ୟତମ ବରପୁତ୍ର ଗଙ୍ଗାଧର ମେହେରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆଇନଜୀବୀ ବିଷ୍ଣୁପ୍ରିୟା ବେହେରା ଓ ଆଇନଜୀବୀ ଲିଙ୍ଗରାଜ ହାତୀଙ୍କୁ ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରବଚକ ଓ କବି ଆଇନଜୀବୀ ଅମରେନ୍ଦୁ ମହାନ୍ତି, ବାବାଜୀ ମନୋରଞ୍ଜନ ଭୋଳ, ହିମ୍ମତ ଖବରକାଗଜ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ କମଳାକାନ୍ତ ଦାଶ, ସାମ୍ବାଦିକ ଶରତଚନ୍ଦ୍ର ଦାଶ, ସାଧନା ଦତ୍ତ, ବିଜୟ କୁମାର ଜେନା, ଓ ବ୍ରଜରାଜ ସୁନ୍ଦରରାୟ ପ୍ରମୁଖ ପ୍ରଭୁ ଅନନ୍ତ ଯୁଗାବତାର ଭାବେ ମହାପ୍ରଭୁ କଳକୀଙ୍କ ସହିତ ଯୋଗଦେଇ ମହାଶକ୍ତି ଭାବରେ ଉଭା ହେବେ ଏବଂ ମ୍ଳେଚ୍ଛ ସଂହାର କରିବେ ବୋଲି ସଦଗୁରୁ କଳକୀବାବାଙ୍କ ବାଣୀକୁ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ଶେଷରେ କେନ୍ଦ୍ର ଲୋକସମ୍ପର୍କ ପ୍ରମୁଖ ବିଜୟ କୁମାର ସାମଲ ଧନ୍ୟବାଦ ଦେଇଥିଲେ।