News by I&PR (Odisha)

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ବିଶ୍ୱକପ୍ ହକି ସମୟରେ ମିଲେଟ୍‌ର ପ୍ରଚାର ଉପରେ ଗୁରୁତ୍ୱାରୋପ

News by I&PR (Odisha)

#ଭୁବନେଶ୍ୱର(ଏନ୍‍.ଏମ୍‍.): ବିଶ୍ୱବ୍ୟାପୀ ମିଲେଟ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍‌? ବର୍ଷ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ କ୍ଷୁଦ୍ରଶସ୍ୟ ଭାବେ ମିଲେଟର ଗୁରୁତ୍ୱ ଏବଂ ଉପକାରିତା ସମ୍ପର୍କରେ ପ୍ରଚାରପ୍ରସାର କରିବା ପାଇଁ ବର୍ଷସାରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଛି । ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଫିକି)ର ସହଭାଗିତାରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ କରାଯିବ । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଏବଂ ଫିକିର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ମୌସୁମୀ ଘୋଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମିଲେଟ୍‌କୁ ଘରେ ଘରେ ଆଦୃତ କରାଇବା ସହିତ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ଷସାରା ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ କରିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ନିୟମିତ ସମୀକ୍ଷା କରାଯିବ । ବୁଝାମଣାପତ୍ର ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକିର ସହଭାଗିତାରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ହେବ । ଫିକି ଓ ଓଡ଼ିଶା ସରକାର ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିୟମିତ ଭାବେ କାର୍ଯ୍ୟକ୍ରମଗୁଡ଼ିକ ସମୀକ୍ଷା ଏବଂ ତଦାରଖ ସହିତ ଏଥି ନିମନ୍ତେ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବ । ମିଲେଟର ପ୍ରଚାରପ୍ରସାର ଦିଗରେ ଜନସଂପର୍କ ସଂସ୍ଥା, ଡିଜାଇନର ପାର୍ଟନର, ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ, ନଲେଜ ପାର୍ଟନର, ଗବେଷଣା ଆଦିରେ ଫିକି ସହଭାଗିତା ଯୋଗାଇଦେବ । ମିଲେଟ୍‌ର ପ୍ରଚାର ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି, ସାମାଜିକ ଗଣମାଧ୍ୟମରେ ପ୍ରଚାର ଆଦି କାର୍ଯ୍ୟ ସହିତ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଆଦି ସହରରେ ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍ ଆଦିର ଆୟୋଜନ କରାଯିବ । ବିଭିନ୍ନ ଏଫ୍‌ଏମ୍‌ସିଜି କମ୍ପାନୀମାନଙ୍କୁ ମିଲେଟ୍ ଜାତୀୟ ଖାଦ୍ୟକୁ ମୂଲ୍ୟଯୁକ୍ତ କରିବା ପାଇଁ ପୁଂଜିନିବେଶ ଦିଗରେ ଆଲୋଚନା ହେବ । ସହରାଞ୍ଚଳରେ ମିଲେଟ୍‌ର ବ୍ୟାପକ ପ୍ରଚାର ଓ ଜନସଚେତନତା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ମେଡ଼ିଆରେ ବିଶେଷଜ୍ଞମାନଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯିବ । ମିଲେଟ୍ ଜାତୀୟ ଖାଦ୍ୟର ପ୍ରଚାର ଦିଗରେ ଖାଦ୍ୟ ପ୍ରସ୍ତୁତି ନେଇ ବିଭିନ୍ନ ରୋଷେଇ କାର୍ଯ୍ୟକ୍ରମ ଓ ରୋଷେଇ ପ୍ରତିଯୋଗିତା ଟିଭି ଚ୍ୟାନେଲ ଏବଂ ହୋଟେଲ୍ ଆସୋସିଏସନ୍ ଦ୍ୱାରା ଆୟୋଜନ କରାଯିବ । କାର୍ଯ୍ୟକ୍ରମର ଡକ୍ୟୁମେଣ୍ଟେସନ୍ କରାଯିବା ସହିତ ଓଡ଼ିଶା ମିଲେଟ୍ ମିଶନ ସଂପର୍କରେ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯିବ । ଏହି ଅବସରରେ ଫାଉଣ୍ଡେସନ୍ ବୁକ୍ ଅନ୍ ମିଲେଟ୍‌ସ୍‌ର ଅନ୍ତର୍ଜାତୀୟ ପ୍ରକାଶନ ମଧ୍ୟ କରାଯିବ । ଏଥି ସହିତ ଇଣ୍ଟରନ୍ୟାସନାଲ୍ କନ୍‌ଭେନ୍‌ସନ୍ ଅନ୍ ମିଲେଟ୍‌ର ଆୟୋଜନ ନିମନ୍ତେ ମଧ୍ୟ ଫିକି ଆବଶ୍ୟକ ସହଯୋଗ ଯୋଗାଇଦେବ ।
ଭୁବନେଶ୍ୱର ଓ ରାଉରକେଲାଠାରେ ପୁରୁଷ ବିଶ୍ୱକପ୍ ହକି ପ୍ରତିଯୋଗିତା ସମୟରେ ମିଲେଟ ସଂପର୍କିତ ଭିଡ଼ିଓ ପ୍ରଦର୍ଶନ କରାଯିବା ସହିତ ଖେଳାଳି ଓ ଅତିଥିମାନଙ୍କୁ ମିଲେଟ୍ ସମ୍ବନ୍ଧୀୟ ସ୍ମରଣିକା, ବ୍ୟାଗ୍ ଓ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରାଯିବ । ଖେଳାଳିମାନଙ୍କ ଖାଦ୍ୟ ତାଲିକାରେ ଯେପରି ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ସ୍ଥାନ ପାଇବ, ସେଥି ପ୍ରତି ହୋଟେଲଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯିବ । କାର୍ଯ୍ୟକ୍ରମ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଓ ଫିକିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

By admin

Leave a Reply

Your email address will not be published. Required fields are marked *