News by Aditya Paital (BBSR)

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ

News by Aditya Paital (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ସାରା ରାଜ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଏଆଇଡିଏସ୍‌ଓ ରାଜ୍ୟ କମିଟିର ଆହ୍ୱାନ କ୍ରମେ ସାରା ଓଡ଼ିଶା ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ସଂଗଠନର ଭୁବନେଶ୍ୱର ସିଟି କମିଟି ପକ୍ଷରୁ ଏକ ବିକ୍ଷୋଭ ରାଜ୍ୟ ସଚିବାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉ କି, ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର ଆକାଡେମିକ କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି ମାତ୍ର ସେଥିରେ ଛାତ୍ର ସଂସଦ ନିର୍ବାଚନ ସଂପର୍କରେ କିଛି ଉଲ୍ଲେଖ କରିନାହାନ୍ତି । ଛାତ୍ର ସଂସଦ ଗଠନ କରିବା ଛାତ୍ରଛାତ୍ରୀମାନଙ୍କର ଏକ ସଂଗ୍ରାମଲବ୍ଧ ଅଧିକାର । ନବଜାଗରଣ ଯୁଗର ମନୀଷୀ ତଥା ଆମ ଦେଶର ସ୍ୱାଧୀନତା ସଂଗ୍ରାମର ବରେଣ୍ୟ ନେତାମାନେ ଗଣତାନ୍ତ୍ରିକ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଛାତ୍ର ଓ ଶିକ୍ଷକମାନଙ୍କର ଗଣତାନ୍ତ୍ରିକ ଦାବି ଉତ୍ଥାପିତ କରିଥିଲେ । ସର୍ବପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୩୮ମସିହା ଅକ୍ଟୋବର ୩୧ ତାରିଖ ଦିନ ଶିଲଂ ଠାରେ ତାଙ୍କର ଐତିହାସିକ ଭାଷଣରେ ଛାତ୍ରଛାତ୍ରୀମାନଙ୍କର ନିଜସ୍ୱ ସଂଗଠନ “ନିର୍ବାଚିତ ଛାତ୍ର ସଂସଦ’ର ଦାବି ଉପସ୍ଥାପନ କରିଥିଲେ । ଛାତ୍ର ସଂସଦ ଶିକ୍ଷାନୁଷ୍ଠାନର ଶୈକ୍ଷିକ ଓ ସାଂସ୍କୃତିକ ବାତାବରଣର ସୁରକ୍ଷା, ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକ ତଥା ଶିକ୍ଷାନୁଷ୍ଠାନର ସମସ୍ୟା ସମାଧାନ କରିବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରିବା ଏବଂ ଆବଶ୍ୟକ ସ୍ଥଳେ ଛାତ୍ର ଆନ୍ଦୋଳନ ମାଧ୍ୟମରେ ଦାବି ହାସଲ କରିବାର ଏକ ହତିଆରରେ ପରିଣତ ହୋଇଥିଲା । ମାତ୍ର ଆଜି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆବଶ୍ୟକୀୟ ଅଧ୍ୟାପକର ଅଭାବ, ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ବ୍ୟାପକ ଅନିୟମିତତା, ଫିସ ବୃଦ୍ଧି ତଥା ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାଂପ୍ରଦାୟୀକରଣ ତଥା ଜାତୀୟ ଶିକ୍ଷା ନୀତି – ୨୦୨୦ ଭଳି ଶିକ୍ଷାମାରଣ ନୀତି ବିରୁଦ୍ଧରେ ଗଢି ଉଠୁଥିବା ଛାତ୍ର ଆନ୍ଦୋଳନକୁ ଅଙ୍କୁରେ ବିନାଶ କରି ବିନା ବାଧାରେ ସମସ୍ତ ପ୍ରକାର ଶିକ୍ଷା ମାରଣ ନୀତି ଲାଗୁ କରିବା ଉଦ୍ଦେଶ୍ୟରେ ସରକାର ଏହି ଘୃଣ୍ୟ ପଦକ୍ଷେପ ନେଇଛନ୍ତି । ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତି ପ୍ରତ୍ୟାହାର କରି ଅବିଳମ୍ବେ ପୂର୍ବ ଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ଏଆଇଡିଏସ୍‌ଓ ରାଜ୍ୟ ସଂପାଦକ ସିଦ୍ଧାର୍ଥ ରଥ, ଭୁବନେଶ୍ୱର ସିଟି କମିଟି ସଭାପତି ନସିମ ସରକାର, ସଂପାଦିକା ସ୍ୱସ୍ତି ସଂଗୀତା ଦଳାଇ, ଉପସଭାପତି ସପ୍ତର୍ଶିନୀ ରାଉଳ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିନୋଦ ସେଠୀ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସଂଗଠିକା ସୁଚରିତା ଜେନା, ପ୍ରତାପ ଶାସନ କଲେଜର ଛାତ୍ର ନେତା ସାର୍ଥକ ରଥ, ମହର୍ଷି କଲେଜ ଛାତ୍ରୀ ଅର୍ଚ୍ଚିତା ନାଏକ ପ୍ରମୁଖ ଦୃଢ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *