ପ୍ରତିଷ୍ଠା ଦିବସରେ ସ୍ୱାସ୍ଥ୍ୟଶିବିର
ଚୌଦ୍ୱାର(ଏନ୍.ଏମ୍.): ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ପାଳିତ ହେବ ୧୪ତମ ପ୍ରତିଷ୍ଠା ଦିବସ। ଯାହାକି ଆସନ୍ତା ୧୪ତାରିଖରେ କରାଯିବ। ମାତ୍ର ତା’ପୁର୍ବରୁ ଚୌଦ୍ୱାର ଅଞ୍ଚଳର ଶଙ୍କରପୁରସ୍ଥିତ ଗାନ୍ଧୀ ନୋଡାଲ ବିଦ୍ୟାପୀଠରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ଓ ଇମ୍ଫାର ପାୱାର ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଲଲାଟ କିଶୋର ମହାପାତ୍ର ଉଦଘାଟନ କରିଥିଲେ। ସ୍ଥାନୀୟ ସମିତିସଭ୍ୟ ସୁକାନ୍ତ ରାଉତ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଚର୍ମ ଓ ଭେଷଜ ବିଭାଗର ୫ ଜଣ ଡାକ୍ତର ସେବା ଯୋଗାଇ ଦେଇଥିଲେ। ଡାକ୍ତରମାନେ ୪୦୦ରୁ ଉର୍ଦ୍ଧ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ଦେଇଥିଲେ। ବିଦ୍ୟାପୀଠରେ ଫାଉଣ୍ଡେସନ ଦ୍ୱାରା ନିର୍ମିତ ଏକ ସାଇକେଲ ଷ୍ଟାଣ୍ଡକୁ ମଧ୍ୟ ଉଦଘାଟନ କରାଯାଇଥିଲା। ଶଙ୍କରପୁର ଅଞ୍ଚଳରେ ଇମ୍ଫାର ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍ଥିତପ୍ରଜ୍ଞ ଦାସ, ପିଙ୍କି ସାହୁ, ମନୋଜ ମହାପାତ୍ର, ସୌଭାଗ୍ୟ ପ୍ରଧାନ ସହ ଇମ୍ଫାରୁ ସ୍ୱେଚ୍ଛାକୃତ ଭାବେ ୧୦ଜଣ ସ୍ୱେଚ୍ଛାସେବୀ ପରିଚାଳନା କରିଥିବା ବେଳେ ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଇମ୍ଫାର ଅଧିକାରୀଙ୍କ ମଧ୍ୟରେ ନିରଞ୍ଜନ ସାହୁ, ମାନସ ପ୍ରଧାନ, ସରୋଜ ସାହୁ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଅଶାନ୍ତ ବେହେରା, ଲୋକସମ୍ପର୍କ ଅଧିକାରୀ ଅଭିଷେକ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।