ପୋଖରୀରେ ବୁଡି ପ୍ରାଣ ହରାଇଲେ ନାବାଳକ
#ପାଟଣାଗଡ(ଏନ୍.ଏମ୍.): ଗାଧୋଇବାକୁ ଯାଇ ଆଉ ଫେରିନଥିଲା ପୁଅ । ବୋଧହୁଏ ଆଜି ତାର ଥିଲା ଶେଷ ଗାଧୁଆ । ନାବାଳକ ପୁଅର ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ କେବଳ ପରିବାରରେ ନୁହେଁ ବରଂ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଥାନା ଅନ୍ତର୍ଗତ ଦଲଦଲି ଗ୍ରାମରେ । ବୁଧବାର ସକାଳେ ଜଣେ ବାଳକ ନିଜ ଭଉଣୀ ସହିତ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡି ଯାଇ ୫ବର୍ଷିୟ ପୁଅର ମୃତ୍ୟୁ ଘଟିଛି । ମୃତ ବାଳକ ଜଣକ ହେଲେ ସେହି ଗ୍ରାମର ସୁରେନ୍ଦ୍ର ଷାଣ୍ଢଙ୍କ ଏକମାତ୍ର ପୁଅ କରମ ଷାଣ୍ଢ ବୋଲି ଜଣାପଡିଛି । ସକାଳେ କରମ ଓ ତା’ର ଭଉଣୀ ନିକଟସ୍ଥ ପୋଖରୀରେ ଗାଧୋଉଥିଲେ । ତେବେ ଗାଧୋଇବା ସମୟରେ କରମ ପୋଖରୀ ଭିତରକୁ ପଶିଯାଇଥିବାବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । କରମ ପାଣିରେ ବୁଡି ଯାଉଥିବା ଦେଖି ତା’ର ଭଉଣୀ ଓ ଅନ୍ୟ ଗାଧୋଉଥିବାଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଦେଇଥିଲେ । ମାତ୍ର କରମ ସେହି ସମୟ ଭିତରେ ଚେତା ହରାଇଥିଲେ । ସଂଗେ ସଂଗେ କରମର ବାପା ଓ ତାଙ୍କ ଦୁଇ ଭାଇ ଏକ ବାଇକରେ ପାଟଣାଗଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳକର ମୃତ୍ୟୁ ଖବର ଶୁଣି ଗ୍ରାମରେ ଶକାକୁଳ ପରିବେଶ ଦେଖାଦେଇଛି । ଏନେଇ ପାଟଣାଗଡ଼ ଥାନା କେଶ ନଂ ୮/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।