ପରଲୋକରେ ସାହିତ୍ୟିକା ମୀନାକ୍ଷୀ ଦେବୀ

ପରଲୋକରେ ସାହିତ୍ୟିକା ମୀନାକ୍ଷୀ ଦେବୀ
କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମୀନାକ୍ଷୀ ଦେବୀଙ୍କର ଆଜି ସଂଧ୍ୟା ୬ଟା ସମୟରେ ଦେହାନ୍ତ ହୋଇଯାଇଛି । ରାଜାବଗିଚା ଚକୋଲେଟ୍‌ଲେନ୍‌ସ୍ଥିତ ବାସଗୃହରେ ସେ ହଠାତ୍ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଯାଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ । ନିକଟରେ ତାଙ୍କର ସ୍ୱାମୀ ଶଶିଭୂଷଣ ତ୍ରିପାଠୀ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
୧୯୫୫ ମସିହାରେ ପୁରୀଜିଲ୍ଲା ଶ୍ରୀପୁରୁଷୋତ୍ତମପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ୱାଧୀନତା ସଂଗ୍ରାମୀ ସଦାଶିବ ମିଶ୍ର ଓ ମାତା କନକଲତାଙ୍କ କନ୍ୟା ମୀନାକ୍ଷୀଦେବୀ ହାଇସ୍କୁଲର ଛାତ୍ରୀ ଥିବା ବେଳେ ପ୍ରେସିଡେଣ୍ଟ ଗାଇଡ୍ ରୂପେ ରାଷ୍ଟ୍ରପତିଙ୍କଠାରୁ ମାନପତ୍ର ଲାଭ କରିଥିଲେ । ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିବା ପରେ ୧୯୮୦ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଝାରସୁଗୁଡ଼ାସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଅଧ୍ୟାପିକା ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ଏହା ପରେ ୧୯୯୨ରୁ ୨୦୧୫ ପର୍ଯ୍ୟନ୍ତ ସେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡ଼ିଆଲ ରିସର୍ଚ୍ଚର ଗବେଷଣା ସହଯୋଗୀ ରୂପେ କାର୍ଯ୍ୟ କରିଥିଲେ । ଜଣେ ଗାଳ୍ପିକା, ନାଟ୍ୟକାର, ଗୀତିକବି, ପ୍ରାବନ୍ଧିକ ଓ ଶିଶୁସାହିତ୍ୟ ଲେଖିକା ଭାବେ ସୁପରିଚିତ ମୀନାକ୍ଷୀ ଦେବୀ “ଅନ୍ୟଜଣେ ସୁଲୋଚନା’, “ଝରାପତ୍ରର ଗୀତି’, “କହିବି ଗୋଟିଏ କଥା’, “କାରଗିଲ୍‌ର ବଧୂ’, “କହୁ କହୁ କହିଦେଲି’, “ପିଲାଙ୍କ ନାଟକ’, “ମଧୁର-ବିଧୂର’, “ନିର୍ମୋକ’, “ପ୍ରବନ୍ଧ ବହୁବିଧ’, “ମୁହୂର୍ତ୍ତ ମୁହୂର୍ତ୍ତ’, “ମଣିଷ ପରି ମଣିଷ’ ଆଦି ପ୍ରାୟ ୩୦ଟି ପୁସ୍ତକ ରଚିନା କରିଥିଲେ । ସାହିତ୍ୟ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସେ ସମ୍ବର୍ଦ୍ଧିତ ହେବା ସହ ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ । ଦୂରଦର୍ଶନ ଓ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ମୀନାକ୍ଷୀ ଦେବୀ ମଧ୍ୟ ଗୀତିକବି ସମାଜର ସଂପାଦକ ଏବଂ “ଆଶା ଆଶ୍ୱାସନା, “ସ୍ୱାଗତିକା’, “ଶରତ ସାହିତ୍ୟ ପରିଷଦ’, “ଫକୀରମୋହନ ସ୍ମୃତି ସଂସଦ’, “ବାଣୀବିନୋଦିନୀ ଗୀତିକବି ପ୍ରେମଲତା ସାମଲ ସ୍ମୃତି କମିଟି’ର ମୁଖ୍ୟ କର୍ମକର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । ତାଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ପରାମର୍ଶଦାତା ପରିଷଦର ଆବାହକ ବିଜୟାନନ୍ଦ ସିଂହ, ସଦସ୍ୟ ଅମରେଶ ପଟ୍ଟନାୟକ, ବିଜୟ କୁମାର ଶତପଥୀ, କଥାଶିଳ୍ପୀ ଗୌରହରି ଦାସ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷିକେଶ ମଲ୍ଳିକ, ଉପସଭାପତି ଡକ୍ଟର ସଂଗ୍ରାମ ଜେନା, ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ, ଉପସଭାପତି ତଥା ନାଟ୍ୟକାର ସଞ୍ଜିତ୍ କୁମାର ପଟ୍ଟନାୟକ, ଓଡ଼ିଆ ଗୀତିକବି ସମାଜର ସଭାପତି ମନୋଜ ପଟ୍ଟନାୟକ, ଗୀତିକବି ଗୌର ପଟ୍ଟନାୟକ, ଗୌରହରି ଦଳାଇ, ଶିଶୁସାହିତ୍ୟ ଲେଖକ ସମ୍ମେଳନର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ କଟକ ମହାନଗର ନାଗରିକ ମହାସଭା ସଭାପତି ଡାକ୍ତର ରବିରଞ୍ଜନ ସାହୁ, ବ୍ରହ୍ମାନନ୍ଦ ବିଶ୍ୱାଳ, ସଭାପତି ଡକ୍ଟର ସତ୍ୟ ରାୟ, ସାଧାରଣ ସମ୍ପାଦକ ଦିଲ୍ଳୀପ କୁମାର ଦାସ, ଉପଦେଷ୍ଟା ତଥାବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁ, ଭୁବନାନନ୍ଦ ମହାନ୍ତି, କମଳାକାନ୍ତ ଦାଶ, ବ୍ରହ୍ମାନନ୍ଦ ବିଶ୍ୱାଳ, ଗୋକୁଳାନନ୍ଦ ପଟ୍ଟନାୟକ, ମିଲନ କୁମାର ବଡୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *