ନୂଆପଡ଼ା ବାଲିସାହି ଆଦିବାସୀ ବସ୍ତିରେ ଢାବୁଲ ତାମସା


କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୫୧ ନମ୍ବର ୱାର୍ଡ଼ ସ୍ଥିତ ନୂଆପଡା ବାଲିସାହି ଆଦିବାସୀ ବସ୍ତିଠାରେ ଅଦିବାସୀଙ୍କର ପାରମ୍ପାରିକ “ଢାବୁଲ ତାମସା’ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ ଆଦିବାସୀମାନଙ୍କର ବହୁବିଧ ଉନ୍ନୟତି ନିମନ୍ତେ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ଅଖିଳ ଓଡିଶା ଝୋପଡିପଟ୍ଟୀ ମହାସଂଘର ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ସମାଜସେବୀ ସନ୍ତୋଷ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଢ଼ାବୁଲ ତାମସାରେ ଆଦିବାସୀମାନେ ତାଙ୍କର ପାରମ୍ପରିକ ବେଶ ପୋଷାକ ଯଥା କାଚ୍ଛା, ପେଣେ ଇତ୍ୟାଦି ପିନ୍ଧି ତୁମଦା, ଟମାକ, ଢାକ, ଚଡଚଡ଼ି, ଘଣ୍ଟା ଏବଂ ନେପୁରର ତାଳେ ତାଳେ ସମୂହ ଭାବେ ନୃତ୍ୟ କରିବା ଦୃଶ୍ୟ ଅତୀବ ମନୋହାର ହୋଇଥିଲା । ବିଧାୟକ ଶ୍ରୀ ବେହେରାଙ୍କୁ ବସ୍ତି ବାସିନ୍ଦାଙ୍କୁ ସରକାରଙ୍କ ଘୋଷଣା ମୁତାବକ ଆଉ ୫୦ ହଜାର ଟଙ୍କା ତୁରନ୍ତ ଦେବା, ଜାଗା ପଟ୍ଟା ଅନୁଯାୟୀ ଜାତି ସାର୍ଟିଫିକେଟ ଦେବା, ଥଇଥାନ ବସ୍ତିରୁ କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ଦିନରେ ତିନିଥର ମୋ ବସ ଚଲେଇବା, ମୋ ବସରେ ବସ୍ତି ବାସିନ୍ଦାଙ୍କୁ ମାସିକିଆ ପାସର ବ୍ୟବସ୍ଥା କରିବାକୁ ଶ୍ରୀ ଆଜାଦ ନିବେଦନ କରିଥିଲେ । ତେବେ ଏଭଳି ଦାବିକୁ ବିଧାୟକ ଶ୍ରୀ ବେହେରା ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁରେଶ ମୁର୍ମୁ, ଶମ୍ଭୁନାଥ ହାଁସଦା, ଗୋପାଳ ମୁର୍ମୁ, ମଦନ ସୋରେନ, ସଞ୍ଜୟ ମୁର୍ମୁ, ବନା ଦିଗମୁଣ୍ଡା, କୁମାରୀ ଦୁଲି ମୁର୍ମୁ, ସାଧୁ ହେମ୍ବ୍ରମ, ୟାସମିନ ବିଶ୍ୱାଳ, ପାର୍ବତୀ ମୁର୍ମୁ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *