ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସଫେଇ କର୍ମଚାରୀ ମହାସଂଘ

ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସଫେଇ କର୍ମଚାରୀ ମହାସଂଘ

News by Kanhu Charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ପରିମଳ ତଥା ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କ ପ୍ରତି ସମସ୍ତେ ଅଣଦେଖା କରୁଛନ୍ତି । ଗୋଟିଏ ପଟେ ସରକାର ଓ ପ୍ରଶାସନ ସେମାନଙ୍କ ଉପରେ କାମର ବୋଝ ଲଦି ଦେଉଥିବାବେଳ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟ ଜନକ ବୋଲି ଓଡ଼ିଶା ସଫେଇ କର୍ମଚାରୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଜଗତପୁର ସ୍ଥିତ କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହାସଂଘ ପକ୍ଷରୁ ଏକ ବୈଠକ ସଭାପତି ଲକ୍ଷ୍ମୀଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର କଟକ, ଜଗତପୁର, ଚୌଦ୍ୱାର ଅଞ୍ଚଳରୁ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସଫେଇ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ସମାନ କାମକୁ ସମାନ ଦରମା, ତିନି ଟାଇମ୍ ପରିବର୍ତ୍ତେ ପ୍ରତି କର୍ମଚାରୀ ଗୋଟିଏ ଟାଇମ୍ ସଫେଇ କରିବା, ସମସ୍ତ କର୍ମଚାରୀଙ୍କୁ ଜୋତା, ଗ୍ଲୋବସ, ସାବୁନ୍‌, ସାନିଟାଇଜର, ଇତ୍ୟାଦି ପ୍ରଦାନ କରିବା, ସାପ୍ତାହିକ ଛୁଟି ପ୍ରଦାନ କରିବା, ସମସ୍ତ ଶ୍ରମିକଙ୍କୁ ଇଏସଆଇ ଏବଂ ପ୍ରୋଭିଡେଣ୍ଟ ଫଣ୍ଡ ପରିସରଭୁକ୍ତ କରିବା, ମାସ୍ ସଫେଇ ପାଇଁ ଅନ୍ୟତ୍ର ଯିବାକୁ ହେଲେ ଯିବା ଆସିବାର ବନ୍ଦୋବସ୍ତ କରିବା ପାଇଁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ମହାସଂଘର କାର୍ଯ୍ୟକାରୀ ସଭାନେତ୍ରୀ ସଂଯୁକ୍ତା ମହଲ, ସାଧାରଣ ସମ୍ପାଦକ ବିରଜାକିଙ୍କର ନାୟକ, କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡ଼ା, ନାରୀ ନେତ୍ରୀ ଗୀତାଞ୍ଜଳି ପାଣି, କଳ୍ପନା ବେହେରା ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଖୁବ୍ ଶିଘ୍ର ସଫେଇ କର୍ମଚାରୀଙ୍କ ସ୍ୱାର୍ଥ ସମ୍ବଳିତ ଏକ ଲିଖିତ ଦାବିପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ଅବସରରେ ଚୌଦ୍ୱାର ସଫେଇ କର୍ମଚାରୀ ସଂଘ ସଭାପତି ରୋହିତ ନାୟକ, ଜଗତପୁର ସଂଘ ସଭାପତି ଅଶୋକ ନାୟକ, ସମ୍ପାଦକ ଜଗା ନାୟକ, କଟକ ମହାନଗର ସଭାପତି ବିଷ୍ଣୁ ନାୟକ, କଟକ ମହାନଦୀ ବିହାର ସଂଘ ସଭାପତି ରୀନା ନାୟକ, ସମ୍ପାଦିକା ମିନତୀ ନାୟକ, ବିଧାରପୁରର ପ୍ରଭାତୀ ନାୟକ, ସଭ୍ୟ ଲକ୍ଷ୍ମୀପ୍ରିୟା ନାୟକଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ସଫେଇ କର୍ମଚାରୀ ସଂଘର କର୍ମକର୍ତ୍ତା ଯୋଗଦେଇ ନିଜର ହକ୍ ପାଇଁ ଏକାଠି ହେଇ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ମହାସଂଘ ପକ୍ଷରୁ କୁହାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *