ନିଖୋଜ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି : ଗତ ୪ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ନାମକ ୧୭ ବର୍ଷୀୟ ଯୁବକ ଗତ ୪ ତାରିଖ ଘରେ ରାତ୍ରି ଭୋଜନ ସାରି ଘରୁ ପଦାକୁ ଚାଲି ଆସିଥିଲେ । ଘରକୁ ଫେରିବାରେ ଅତ୍ୟଧିକ ବିଳମ୍ବ ହେବା ଯୋଗୁଁ, ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ନିଖୋଜ ହେବାର ୨୪ ଘଣ୍ଟା ପରେ, ପରିବାର ଲୋକେ ଗତକାଲି କର୍ଲାପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ସାନଖଇରମାଲ ଗ୍ରାମର ଜନୈକ ଗ୍ରାମବାସୀ, ଗ୍ରାମ ନିକଟରେ ନିର୍ମାଣ କରାଯାଉଥିବା ପୋଖରୀ କାମ ତଦାରଖ ପାଇଁ ଯିବା ସମୟରେ ଦୁର୍ଗନ୍ଧ ଅନୁସରଣ କରି ପୋଖରୀ ନିକଟରେ ଥିବା ଖାତରେ ଅଜଣା ବ୍ୟକ୍ତିର ଶବ ଦେଖିବାକୁ ପାଇଥିଲେ ।

ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ, ଗ୍ରାମବାସୀ ଏହା ନିଖୋଜ ସୁଦାମ ଗଉଡ଼ ବୋଲି ଜାଣିବାକୁ ପାଇଥିଲେ । ଗ୍ରାମବାସୀ ତୁରନ୍ତ କର୍ଲାପଡ଼ା ଫାଣ୍ଡିରେ ଏହା ସମ୍ପର୍କରେ ସୂଚନା ଦେବାପରେ, ଭବାନୀପାଟଣା ସଦରଥାନା ଅଧିକାରୀ ପ୍ରଦୀପ ଧରୁଆ କେଶ ନମ୍ବର ୧୫୧/୨୦୨୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ସନ୍ଧାନୀ କୁକୁର ନଥିବା ଯୋଗୁଁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁରୋଧ କ୍ରମେ ରାୟଗଡା ଜିଲ୍ଲାରୁ ସନ୍ଧାନୀ କୁକୁର ଅଣାଯାଇ ତଦନ୍ତ ଜାରି ରଖିଛନ୍ତି ।ତେବେ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଗତକାଲି ରାତିରେ କିଛି ବ୍ୟକ୍ତି ସାନଖଇରମାଲ ଗାଁରେ ଲାଗିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ଭାଙ୍ଗି ଦେବା ଓ ବିଜୁଳି ଟ୍ରାନ୍ସଫର୍ମରରେ ତାର ପକାଇ ଫ୍ୟୁଜ କରିଦେଇଥିଲେ । ଏଣୁ ଏହି ଘଟଣା ଆହୁରି ରହସ୍ୟମୟ ହେବା ସହିତ କେହି ଜାଣି ଶୁଣି ଏଭଳି କରି, ଶବଟିକୁ ଏଠାରେ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରୁଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *