ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ

ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ

News by B. Mishra (BBSR)

#ଭୁବନେଶ୍ୱର (ଏନ୍‌.ଏମ୍‌.): ପଶ୍ଚିମ ଓଡ଼ିଶାର ଟାଣୁଆ ଜନନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ନେଇ ତଦନ୍ତ ଚାଲିଥିବାବେଳେ ଏହା ଲୋକ ଦେଖାଣିଆ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ଉଠିଛି । ଏପରିକି ତଦନ୍ତକରୁଥିବା ପୁଲିସ ବିଭାଗର ଅଧିକାରୀଙ୍କ ଉପରେ ଜନସାଧାରଣଙ୍କ ଭରସା ନଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ଉଠାଯାଇଛି । ଅତୀତରେ ଏଭଳି ବହୁ ମାମଲାର ଗୁରୁତ୍ୱପୂର୍ଣ୍ଣ ତଦନ୍ତ ସମୟରେ ଓଡ଼ିଶା ପୁଲିସର ଏକ ନାଟକ ରଚନା କରାଯାଇ କେସକୁ ଚପାଇ ଦିଆଯାଇଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକୁ ନେଇ ଚାଲିଥିବା ତଦନ୍ତ କ୍ଷେତ୍ରରେ ମଧ୍ୟ ସେଭଳି କିଛି ନୂଆ ନାଟକ ରଚନା ଚାଲିଥିବା ଚର୍ଚ୍ଚା ହେଉଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପାଇଁ କିଏ ତିଆରି କରିଥିଲା ମଡର୍ ପ୍ଲଟ୍ ଗୋପାଳ ଦାସ ନିଜେ ଷଡ଼ଯନ୍ତ୍ର ରଚିଥିଲା ନା ସେ କେବେଳ ଏକ ମୋହରା ଏପରି ନାନା ପ୍ରଶ୍ନକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଆଜି ପ୍ରଥମ ଥର ପାଇଁ ପୁଲିସ ମହାନିର୍ଦ୍ଦେଶକ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଜଷ୍ଟିସ ଜେ. ପି.ଦାସଙ୍କ ମନିଟରିଂରେ ଏହି ତଦନ୍ତ ଚାଲୁ ରହିଛି । ଏଭଳି ମାମଲାର ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ । ଏଭଳି କ୍ରାଇମର ରହସ୍ୟ ୨ରୁ ୪ ଦିନ ଭିତରେ ଜଣାପଡ଼ିବନି । ସେଥିପାଇଁ କେନ୍ଦ୍ରର ସହଯୋଗ ନିଆଯିବ । ଗୃହ ମନ୍ତ୍ରାଳୟ ସହ କଥା ହୋଇଛି । ଗୃହ ମନ୍ତ୍ରାଳୟ ମଧ୍ୟ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତଦନ୍ତରେ ସହଯୋଗ କରିବାକୁ ସିଏଏଫଏସଏଲ ଟିମ୍ ଆସିପାରେ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି । ତଦନ୍ତରେ ସ୍ୱଚ୍ଛତା ପାଇଁ ସେଠାକାର ପୁଲିସଙ୍କୁ ବଦଳି କରାଯାଇଛି । ଘଟଣାର ଯେଭଳି ପୁନରାବୃତ୍ତି ନହେବ ପଦକ୍ଷେପ ନିଆଯାଉଛି ବୋଲି ଡିଜିପି କହିଛନ୍ତି । ସୂଚନା ଅନୁଯାୟୀ, ଗତ ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଯାଉଥିଲେ । ରାସ୍ତାରେ ତାଙ୍କୁ କର୍ମୀମାନେ ଅଟକାଇ ସ୍ୱାଗତ କରୁଥିଲେ । ସେହି ସମୟରେ ତାଙ୍କୁ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରିଥିଲେ । ଏହା ପରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଝାରସୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ମନ୍ତ୍ରୀଙ୍କୁ ହତ୍ୟା କରିବା ମାମଲାରେ ପୁଲିସ୍ ଗୋପାଳକୁ ଗିରଫ କରି ଝାରସୁଗୁଡ଼ା ବିମାନବନ୍ଦର ଥାନାକୁ ନେଇଥିଲା । ସେହିଠାରେ ଗୋପାଳ କିଛି ହାତ ଲେଖାକୁ ପାଇଖାନାରେ ପକାଇ ଫ୍ଲାସ୍ କରିଦେଇଥିବା ଅଭିଯୋଗ ହୋଇଥିଲା । ସେହି ହାତ ଲେଖାକୁ ପାଇବା ପାଇଁ କ୍ରାଇମବ୍ରାଞ୍ଚ ପାଇଖାନା ଟାଙ୍କି ସଫା କରିଥିଲା । ଆଉ ସେଥିରୁ କିଛି ହାତ ଲେଖା କାଗଜ ପାଇଥିଲା । ମାତ୍ର ପଢ଼ି ହେଉନଥିବାରୁ କ୍ରାଇମବ୍ରାଞ୍ଚ ଅଡୁଆରେ ପଡ଼ି ଯାଇଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଗୋପାଳର ଭାଇକୁ ଉଠାଇ ନେଇ ଅଜ୍ଞାତବାସରେ ରଖି ଘନ ଘନ ଜେରା କରୁଛି । କଣ ପାଇଁ ନବ ଦାସଙ୍କୁ ଗୋପାଳ ହତ୍ୟା କଲା, ତାହା ଉପରେ ତାଙ୍କୁ ଘନ ଘନ ପଚାରୁଥିବା ଆଲୋଚନା ହେଉଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *