‘ନବରଙ୍ଗପୁର ଜିଲ୍ଲାରେ କେହିବି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ’
ନବରଙ୍ଗପୁର (ଏନ୍.ଏମ୍.): ନବରଙ୍ଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ସହ ସମସ୍ତଙ୍କୁ ଶିକ୍ଷିତ କରାଇବା ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନର ଡାଇଏଟ୍ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ଦୀର୍ଘ ଦିନ ଅନୁପସ୍ଥିତ ଛାତ୍ର ଛାତ୍ରୀ, ବିଦ୍ୟାଳୟରେ ନାମ ଲେଖାଇ ନଥିବା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟରେ ନାମ ନଲେଖାଇ ନଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ପୁନଃ ବିଦ୍ୟାଳୟ ଆସିବାକୁ ଉତ୍ସାହିତ କରିବା। ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରେ ସମସ୍ତ ଏଆରସିସି ଏବଂ ପ୍ରଖଣ୍ଡ ଶିକ୍ଷା ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହା ମଧ୍ୟମରେ ସେମାନଙ୍କୁ ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ଓ ସମସ୍ତ ତଥ୍ୟ ଏକତ୍ର କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ତଥ୍ୟଗୁଡ଼ିକ ଶିକ୍ଷକ, ପ୍ରଧାନ ଶିକ୍ଷକ, ଆଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ସଂଗ୍ରହ କରାଯିବ ଓ ଜିଲ୍ଲାରେ ସେଗୁଡ଼ିକ ବିଶ୍ଳେଷଣ ହୋଇଥିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଏକତ୍ରିତ ହେବ। ଏହା ପରେ, ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ସେହି ଛାତ୍ରଛାତ୍ରୀମାନଙ୍କ ଘରକୁ ଘର ଯାଇ ତାଙ୍କର ମାତାପିତାଙ୍କୁ ସରପଞ୍ଚ ଓ ଆଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ପରାମର୍ଶ ଦେବେ। ସେମାନଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିବା ପାଇଁ ଉତ୍ସାହିତ କରିବେ। ବିଦ୍ୟାଳୟରେ ଅବସ୍ଥାନ କରିବାରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ଯୋଜନାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏହି ପ୍ରୟାସକୁ ‘ଉଦ୍ୟମ’ ନାମ ଦିଆଯାଇଛି। ଏହା ଜିଲ୍ଲା ଶିକ୍ଷା ବିଭାଗ ଓ ପିରାମଲ୍ ଫାଉଣ୍ଡେସନର ସମ୍ମିଳିତ ପ୍ରୟାସରେ ହେଉଛି। ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ, ନବରଙ୍ଗପୁର ଛତ୍ରପତି ସାହୁ, ଡାଇଏଟ୍ ପ୍ରାଧାନ ଅରବିନ୍ଦ, ପିରାମଲ୍ ଫାଉଣ୍ଡେସନର ପ୍ରୋଗ୍ରାମ୍ ମ୍ୟାନେଜର୍ ବିକ୍ରମ କିଶୋର ରଣା ଓ ସମସ୍ତ ବିଇଓ ଓ ଏସିଆରସିସି ମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ ମିଳିବା ଆଶା ରଖାଯାଉଛି।