ଦୁର୍ଘଟଣାରେ ମୃତ ବସ କଣ୍ଡକ୍ଟର ପରିବାରକୁ ସହାୟତା ଦେଲା ସିଏନବିଟି ଘରୋଇ ବସ କର୍ମଚାରୀ ସଂଘ

ଦୁର୍ଘଟଣାରେ ମୃତ ବସ କଣ୍ଡକ୍ଟର ପରିବାରକୁ ସହାୟତା ଦେଲା ସିଏନବିଟି ଘରୋଇ ବସ କର୍ମଚାରୀ ସଂଘ


#କଟକ(ଏନ୍‌.ଏମ୍‌.): ଦାରୁଣ ଦଇବ ସହିଲାନି ସୁଖ । ହସଖୁସିର ସଂସାରକୁ ଭାଙ୍ଗିଦେଲା ମୁହୃର୍ତ୍ତକ ଭିତରେ । ଘରେ କୁନିକୁନି ଛୁଆ ୩ଟି ଆଉ ବିଧବା ମା ସହିତ ପତ୍ନୀଙ୍କ ଠାରୁ ଛଡ଼ାଇନେଲା ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ । ବେସାହାରା ହୋଇଗଲେ ସମସ୍ତେ । ଆଜି ପତ୍ନୀ ଆଖିରୁ ଲୁହ ସୁଖିନଥିବାବେଳେ ମା’ ଝୁରୁଛି ଏକୋଇର ବଳା ବିଶିକେସନକୁ । ଆଉ କୁନିକୁନି ଛୁଆ ସଂସାର କ’ଣ ବୁଝିବା ପୂର୍ବରୁ ହୋଇ ପଡ଼ିଛନ୍ତି ବାପ ଛେଉଣ୍ଡ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସଦରଥାନା ଅନ୍ତର୍ଗତ ଖଲର୍ଦ୍ଦା ଗ୍ରାମରେ । ଗାଁର ପୁଅ ପ୍ରକାଶ ସ୍ୱାଇଁ(୪୦) ଘରୋଇ ବସରେ କଣ୍ଡକ୍ଟର କାମ କରି ହସଖୁସିରେ ଚଳୁଥିବାବେଳେ ସେଦିନ ୧୪ତାରିଖ ସଂଧ୍ୟା ୭ଟାବେଳେ ରାଜପଥରେ ଜଗିଥିଲା ଜମ । ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଚନ୍ଦନ ନାମକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ କଣ୍ଡକ୍ଟର ପ୍ରକାଶ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ତେଣୁ ପରିବାରର ଏଭଳି ଦୁଃଖଦ ସମୟରେ ଯଥାସାଧ୍ୟ ସହାୟତାର ହାତ ବଢ଼ାଇଛି ସିଏନବିଟି ଘରୋଇ ବସ କର୍ମଚାରୀ ସଂଘ । ପ୍ରକାଶଙ୍କ ପରିବାରକୁ ବିଭିନ୍ନ କ୍ଷେତ୍ରରୁ ସହାୟତା ସଂଗ୍ରହ କରି ଆଜି ୩୨ହଜାର ୨ଶହ ଟଙ୍କା ତାଙ୍କ ବିଧବା ପତ୍ନୀ ପ୍ରମିଳାଙ୍କୁ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, ପ୍ରକାଶଙ୍କ ମୃତ୍ୟୁ ପରେ ଅନାଥ ହୋଇଯାଇଥିବା ଏହି ପରିବାରକୁ ସହାୟତା ପ୍ରଦାନ କରିବା ସହ ପିଲାମାନଙ୍କୁ ମଣିଷ କରିବା ପାଇଁ ଧର୍ଯ୍ୟ ଓ ସାହସ ପ୍ରଦାନ କରିବା ନିମନ୍ତେ ସଂଘର ସମସ୍ତ ସଦସ୍ୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସଂଘର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗିରିଧାରୀ ଖିଲାର, କାର୍ଯ୍ୟକାରୀ ସହଯୋଗୀ ସୋମନାଥ ପଣ୍ଡା, ରବିନ୍ଦ୍ର କୁମାର ସାହୁ, ବିଚିତ୍ର ବେହେରା, ଅରୁଣ କୁମାର ଦାସ, ଅକ୍ଷୟ ପରିଡ଼ା ପ୍ରମୁଖ ପ୍ରକାଶଙ୍କ ବାସ ଭବନରେ ପହଞ୍ଚି ତାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *