ଦିନ ସାରା ତାତିରେ ସିଝିବା ପରେ ଅପରାହ୍ନରେ ଭିଜିଲା କଟକ ଓ ଭୁବନେଶ୍ୱର!
#କଟକ/ଭୁବନେଶ୍ୱର(ଏନ୍.ଏମ୍.):ଦିନ ତମାମ ଭୀଷଣ ତାତିରେ ସିଲଭର ସିଟି କଟକ ସହର ସହିତ ଜଳିଥିଲା ମନ୍ଦିର ମାଳିନୀ ରାଜଧାନୀ ଭୁବନେଶ୍ୱର । ଅସମ୍ଭାଳ ତାତିରେ କଲବଲ ହୋଇଥିଲେ ଏହି ମହାନଗରବାସୀ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ । ଦୁଇ ସହରବାସୀ ତ୍ରାହୀ ତ୍ରାହୀ ଡାକୁଥିବା ବେଳେ ଅପରାହ୍ନରେ ମିଳିଥିଲା ସାମାନ୍ୟ ଆସ୍ୱସ୍ତି । କାଳ ବୈଶାଖି ଯୋଗୁଁ ବର୍ଷା ସାଙ୍ଗକୁ କୁଆପଥର ମାଡ ହୋଇଥିଲା । ଯାହା ଫଳରେ କଟକ ଭୁବନେଶ୍ୱରର ଜନସାଧାରଣ ଆସ୍ୱସ୍ତ ଅନୁଭବ କରିଥିଲେ । ଗ୍ରୀଷ୍ମ ପ୍ରବାହକୁ ନେଇ ଆଜି ପାଇଁ କଟକକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଥିଲା । ଯେଉଁଥିପାଇଁ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ଗୁଳୁଗୁଳି ହୋଇଥିଲା । ଏହି ତାତିରୁ ବର୍ତ୍ତି ପାରିନଥିଲା ରାଜଧାନୀ ଭୁବନେଶ୍ୱର । ଆଜି ସକାଳ ସାଢ଼େ ୮ଟା ବେଳେ ଭୁବନେଶ୍ୱରର ତାପମାତ୍ରା ୩୪.୮ ଡିଗ୍ରୀ ଥିବା ବେଳେ ସାଢ଼େ ୨ଟାରେ ୪୧.୨ ଡିଗ୍ରୀ ଥିଲା । ଦୁଇ ସହରବାସୀ ଅସହ୍ୟ ତାତିରେ ଘାଣ୍ଟି ହେଉଥିବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ତା’ପରେ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ ହୋଇଥିଲା । ମଝିରେ ମଝିରେ ବଜ୍ରପାତ ହୋଇଥିଲା ।
କଟକ ପରି ଭୁବନେଶ୍ୱର ମଧ୍ୟରେ କାଳବୈଶାଖୀ ବର୍ଷାରେ ଭିଜିଥିଲା । କୁଆପଥର ମାଡ଼ ଯୋଗୁ ମଝି ରାଜଧାନୀ ଆକାଶରେ ଫସି ଯାଇଥିଲା ଭିସ୍ତାରା ବିମାନ । କୁଆପଥର ମାଡ଼ରେ ବିମାନର ୱିଣ୍ଡସିଲ୍ ଭାଙ୍ଗି ଯାଇଥିଲା । ଯେଉଁଥିପାଇଁ ବିମାନ ନୂଆଦିଲ୍ଲୀ ଅଭିମୁଖେ ଯିବା ପରିବର୍ତ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ତେବେ କାଳବୈଶାଖୀର ପ୍ରକୋପରେ ଆଠଗଡ ଓ ବାଙ୍କୀ ଅଞ୍ଚଳରେ ପ୍ରବଳ କୁଆପଥର ପଡ଼ିଥିବା ଦେଖିବାକୁ ମିଳିଛି । ଆଠଗଡ଼ ଟାଟା ଷ୍ଟିଲ ସମ୍ମୁଖ ଖେଳ ପଡିଆରେ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ସଭାର ଟେଷ୍ଟ ଭାଙ୍ଗି ଯାଇଥିଲା । ସେହିପରି ବାଙ୍କି ଅଞ୍ଚଳରେ ଅନେକ ଘର ଭାଙ୍ଗିଛି । ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି । ଅଧ ଘଣ୍ଟାଏ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା । ତେବେ ସହରରେ ଝଡ଼ବର୍ଷାକୁ ଖାତିର ନକରି ଲୋକେ ବର୍ଷାରେ ଭିଜିବାକୁ ଲାଗିଥିଲେ ।