ଦାମ୍ପତ୍ୟ କଳି: କନେଷ୍ଟବଳ ପତ୍ନୀକୁ ମାରି ନିଜ ବେକ କାଟିଲା ସ୍ୱାମୀ

ଦାମ୍ପତ୍ୟ କଳି: କନେଷ୍ଟବଳ ପତ୍ନୀକୁ ମାରି ନିଜ ବେକ କାଟିଲା ସ୍ୱାମୀ

ଦାମ୍ପତ୍ୟ କଳି: କନେଷ୍ଟବଳ ପତ୍ନୀକୁ ମାରି ନିଜ ବେକ କାଟିଲା ସ୍ୱାମୀ


କଟକ(ଏନ୍‌.ଏମ୍‌.): ଦାମ୍ପତ୍ୟ କଳିର କରୁଣ ପରିଣତି ଦେଖିବାକୁ କଟକ ସହରରେ । ପୁଲିସ ବିଭାଗରେ କାର୍ଯ୍ୟକରୁଥିବା ପତ୍ନୀଙ୍କୁ ହତ୍ୟା କରିଛି ସ୍ୱାମୀ। କେବଳ ସେତିକି ନୁହେଁ ସ୍ତ୍ରୀର ବେକ କାଟି ହତ୍ୟା ପରେ ନିଜ ତଣ୍ଟି କାଟି ଦେଇଛି ସ୍ୱାମୀ। ଏଭଳି ନୃଶଂସ ଘଟଣା ଲାଲବାଗ ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ସାହିରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ମୃତା ମହିଳା ଜଣକ ହେଲେ ବିଷ୍ଣୁପ୍ରିୟା ମଲ୍ଲିକ। ସେ କଟକ ସାଇବର ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ସ୍ୱାମୀକୁ ଏସସିବି ମେଡିକାଲରେ ଭର୍ତ୍ତି କରିଥିବାବେଳେ ମହିଳାଙ୍କ ମୃତଦେହକୁ ଜବତ କରି ତଦନ୍ତ କରୁଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ଅଞ୍ଚଳର ବିଶ୍ୱଜିତ ମଲ୍ଲିକ କଟକରେ ବ୍ୟବସାୟ କରନ୍ତି । ୨୦୧୯ ମସିହାରେ ବିଷ୍ଣୁପ୍ରିୟା ଓ ବିଶ୍ୱଜିତଙ୍କ ପ୍ରେମ ବିବାହ ହୋଇଥିଲା। ଏହି ଦମ୍ପତ୍ତିଙ୍କର ଏକ ଛୋଟ କନ୍ୟା ସନ୍ତାନ ମଧ୍ୟ ଅଛି। ବିଷ୍ଣୁପ୍ରିୟାଙ୍କ କଟକ ସାଇବର ଥାନାକୁ ବଦଳି ହେବା ପରେ ସେମାନେ ସିଦ୍ଧେଶ୍ୱର ସାହିରେ ଘର ଭଡା ନେଇ ରହୁଥିଲେ। ତେବେ ବିବାହ ପରଠାରୁ ବିଭିନ୍ନ କାରଣରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହୁଥିଲା। ପୋଲିସରେ ଚାକିରି କରିଥିବାରୁ ବିଷ୍ଣୁପ୍ରିୟା ସବୁବେଳେ ବିଶ୍ୱଜିତଙ୍କୁ ଧମକାଉଥିଲେ। ବୁଧବାର ମଧ୍ୟାହ୍ନରେ ପୂର୍ବ କଥାକୁ ନେଇ ପୁଣିଥରେ ଉଭୟଙ୍କ ମଧ୍ୟରେ କଳିଝଗଡା ହୋଇଥିଲା। ବିଶ୍ୱଜିତ ରାଗ ସମ୍ଭାଳି ନପାରି ବିଷ୍ଣୁପ୍ରିୟାଙ୍କୁ ମାରଧର କରିଥିଲେ। ଏହାପରେ ବିଷ୍ଣୁପ୍ରିୟା ଚିତ୍କାର କରିଥିଲେ। ଚିତ୍କାର ଶୁଣି ପଡୋଶୀମାନେ ଧାଇଁ ଆସି ଦେଖିଲେ ଯେ, ବିଷ୍ଣୁପ୍ରିୟା ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଛଟପଟ ହେଉଛନ୍ତି। ଏହି ସମୟରେ ବିଶ୍ୱଜିତ ପଡୋଶୀଙ୍କୁ ଘରୁ ବାହାର କରିଦେଇ ଭିତର ପଟୁ କବାଟ ବନ୍ଦ କରିଦେବାପରେ ବିଶ୍ୱଜିତ ବଡ ପାଟିରେ ଚିତ୍କାର କରିଥିଲେ। ଏ ବିଷୟରେ ପଡୋଶୀଙ୍କ ଠାରୁ ସୂଚନା ପାଇ ଲାଲବାଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କାବଟ ଭାଙ୍ଗି ଦେଖିବାକୁ ଦୂଆର ମୁହଁରେ ବିଶ୍ୱଜିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବାବେଳେ ରୁମ ଭିତରେ ବିଷ୍ଣୁପ୍ରିୟାଙ୍କ ମୃତହେହ ପଡିଛି। ଘର ସାରା ରକ୍ତ ଛିଟା ପଡିଛି। ପୋଲିସ ପ୍ରଥମେ ଗୁରୁତର ବିଶ୍ୱଜିତଙ୍କୁ ଏସସିବି ମେଡିକାଲ ପଠାଇବା ପରେ ସାଇଣ୍ଟିଫିକ ଟିମକୁ ଡକାଇ ତଥ୍ୟପ୍ରମାଣ ସଂଗ୍ରହ କରିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀକୁ ପୋଲିସ ଜବତ କରିଛି। ଏଭଳି ଖବର ପାଇ ବିଶ୍ୱଜିତଙ୍କ ପରିବାର ଲୋକେ ପହଞ୍ଚିଛନ୍ତି। ଘଟଣାକୁ ନେଇ ବିଶ୍ୱଜିତଙ୍କ ବାପା ହେମନ୍ତ ମଲ୍ଲିକ କହିଛନ୍ତି ଯେ, ବିବାହ ପୂର୍ବରୁ ସବୁ ଠିକଠାକ ଥିଲା। କିନ୍ତୁ ବିବାହର କିଛି ମାସ ପରଠୁ ପୁଅ ବୋହୁଙ୍କ ଭିତରେ କୌଣସି କାରଣରୁ ମନାନ୍ତର ହୋଇଥିଲା। ସେହିପରି ବିଶ୍ୱଜିତଙ୍କ ଭଉଣୀ ମଧ୍ୟ ଅନୁରୂପ କଥା କହିଛନ୍ତି। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ସ୍ଥାନୀୟ ଏସିପି ପ୍ରଦୀପ୍ତ ରାଉତ ସୂଚନା ଦେଇଛନ୍ତି।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ