ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ କରାଯିବ: ସୋଫିଆ

ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ କରାଯିବ: ସୋଫିଆ

କଟକରେ ଦହିବରା ଦିବସ
ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ କରାଯିବ: ସୋଫିଆ


କଟକ(ଏନ୍‌.ଏମ୍‌.): ଆଳୁଦମ ଦହିବରା କେବଳ ଖାଦ୍ୟ ନୁହେଁ, ଏହା ଏକ ଆବେଗ। କଟକର ସ୍ଥାନୀୟ ଖାଦ୍ୟ ଭାବେ ଆରମ୍ଭ ହୋଇଥିବା ନିଆରା ଦହିବରା ଆଳୁଦମ ସମୟକ୍ରମେ କଟକର ସାଂସ୍କୃତିକ ପରିଚୟ ପାଲଟିଯିବା ସହ ଖାଦ୍ୟପ୍ରେମୀମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଏହାର ପ୍ରସ୍ତୁତି ଶୈଳୀରେ ରହିଛି ଓଡ଼ିଆ ପରମ୍ପରା ଓ ସ୍ୱାଦର ସ୍ୱର୍ଗୀୟ ଅନୁଭବ ଯାହା ଖାଦ୍ୟପ୍ରେମୀଙ୍କୁ କରେ ମନ୍ତ୍ରମୁଗ୍‌ଧ । କଟକ ସବୁ ପିଢୀର ଲୋକଙ୍କୁ ପସନ୍ଦ ଆସୁଥିବା ଏହି ଖାଦ୍ୟ ଏକ ନିତିଦିନିଆ ଆରାମଦାୟକ ଖାଦ୍ୟରେ ପରିଣତ ହୋଇଛି। ଏହି ପରମ୍ପରାକୁ ସମ୍ମାନ ଜଣାଇ ମାର୍ଚ୍ଚ ୧ ତାରିଖରେ ଆରମ୍ଭ କରାଯାଇଛି ଦହିବରା ଆଳୁଦମ୍ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ଦହିବରା ଦିବସ ଭାବେ ପାଳନ କରାଯିବାକୁ ସ୍ଥିର କରାଯାଇଛି।
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସିଲଭର ସିଟି ବୋଟ କ୍ଲବଠାରେ ଆୟୋଜିତ ଦହିବରା ଉତ୍ସବରେ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ ଯୋଗ ଦେଇ ଦହିବରା ଆଳୁଦମ ପ୍ରତ୍ୟେକ କଟକିଆଙ୍କ ପ୍ରିୟ ଖାଦ୍ୟ ବୋଲି କହିଥିଲେ। ଯିଏ ଯେଉଁଠି ଥାଉ ନା କାହିଁକି କଟକକୁ ଆସିଲେ ପ୍ରଥମେ ଦହିବରା ଆଳୁଦମ ହିଁ ଖୋଜିଥାଏ। ଦହିବରା ଏବେ କେବଳ କଟକରେ ସିମୀତ ହୋଇ ରହିନାହିଁ ଏହା ଦେଶ ବିଦେଶରେ ମଧ୍ୟ ନାଁ କରିସାରିଲାଣି। କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟିକା ଇଂ.ସୋଫିଆ ଫିର୍ଦ୍ଦୋଷ ଦହିବରାକୁ କଟକର ଅନ୍ୟତମ ପରିଚୟ ବୋଲି ଅଭିହିତ କରି ଏହି ଖାଦ୍ୟକୁ ଲୋକପ୍ରିୟ କରାଇବାରେ ହଦିବରା ବ୍ୟବସାୟୀମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିବା ନିମେନ୍ତ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି, ଅନନ୍ୟ ଦହିବରା ଆଳୁଦମକୁ ବିଶସ୍ତରୀୟ ମାନ୍ୟତା ଲକ୍ଷ୍ୟ ନେଇ ଜିଆଇ ଟ୍ୟାଗ ମିଳିବା ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛିି। ଏହି ଖାଦ୍ୟକୁ ଆହୁରି ଜନାଦୃତ କରିବା ଲକ୍ଷ୍ୟ ନେଇ କଟକ ଦହିବରା ଆଳୁଦମ ଦିବସ ପାଳନ କରାଯାଉଥିବା ଶ୍ରୀ ଶିନ୍ଦେ ସ୍ୱାଗତ ଅଭିଭାଷଣରେ କହିଛନ୍ତି। କଟକ ସିଏମସି କମିଶନର ଅନାମ ଚରଣ ପାତ୍ର କଟକିଆଙ୍କ ପ୍ରାଣରେ ଦହିବରା ଆଳୁଦମର ବାସ୍ନା ଭରି ରହିଛି ବୋଲି କହିଛନ୍ତି ।
ଆଜି ଅନୁଷ୍ଠିତ ହହିବରା ଉତ୍ସବରେ କଟର ବିଭିନ୍ନ ଦହିବରା ବ୍ୟବସାୟୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇ ଷ୍ଟଲମାନ ଖୋଲିଥିଲେ। ଦହିବରା ଉତ୍ସବ ଅବସରରେ ସିଲଭର ସିଟି ବୋଟ କ୍ଲବ ଠାରେ କଟକର ବିଭିନ୍ନ ସ୍ଥାନରେ ମିଳୁଥିବା ପ୍ରସିଦ୍ଧ ଦହିବରା ବ୍ୟବସାୟୀମାନଙ୍କର ତାଲିକା, ସେଲଫି ଜୋନ୍‌, ଦହିବରାର ଖାଦ୍ୟ ଗୁଣବତା ଆଦି ପ୍ରଦର୍ଶିତ ହୋଇଥିଲା। ଦହିବରା ଦିବସ ଅବସରରେ ଆଳୁଦମଦହିବରା ଡଟ କମ୍ ନାମକ ଏକ ୱେବ ପେଜ୍ ମଧ୍ୟ ଉଦଘାଟିତ ହୋଇଯାଇଛି । ଏହି ୱେବ ପେଜରେ ଦହିବରା ଆଳୁଦମର ଇତିହାସ, ବିଭିନ୍ନ ସ୍ଥାନରେ ମିଳୁଥିବା ପ୍ରସିଦ୍ଧ ଦହିବରା ଆଳୁଦମ, ଦହିବରା ଆଳୁଦମର ସ୍ୱାସ୍ଥ୍ୟଗତ ଉପାଦେୟତା ଆଦି ସ୍ଥାନ ପାଇଛି। କାର୍ଯ୍ୟକ୍ରମ ଅବସରରେ ପ୍ରସିଦ୍ଧ ଦହିବରା ବ୍ୟବସାୟୀ ତ୍ରିନାଥ ଓ ବାବୁଲା, ଫୁଡ ବ୍ଲଗର ରୋହିତ ଶ୍ରୀବାସ୍ତବ ଏବଂ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଧନ୍ୟବାଦ ଦେଇଥିଲେ। ଦହିବରା ଦିବସର ନୋଡାଲ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଡଃ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ କାର୍ଯ୍ୟ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ