ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ: ଆଜି ଅପରାହ୍ନଣ ୨ଟାରୁ ଅନ୍ଲାଇନ୍ ଟିକଟ ବୁକିଂ

କଟକ(ଏନ୍.ଏମ୍.): ଡିସେମ୍ବର ୯ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ଟିକଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରାହ୍ନ ୨ଟାରୁ ଅନଲାଇନ ଟିକଟ ବୁକିଂ ଆରମ୍ଭ ହୋଇଛି ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍’ ଏବଂ ୱେବସାଇଟରେ ଲୋକେ ଟିକଟ ବୁକ୍ କରିପାରିବେ। ଏଥର ମାତ୍ର ୨ହଜାର ଟିକଟ ଅନଲାଇନରେ ଉପଲବ୍ଧ ହେବ। ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଅନଲାଇନ୍ ଟିକଟ କ୍ରେତାଙ୍କ ପାଇଁ ଆସନ୍ତା ୮ ଓ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। ସେଠାରୁ ସେମାନେ ଟିକଟର ହାର୍ଡକପି ସଂଗ୍ରହ କରି ପାରିବେ। ଗ୍ୟାଲେରି ନଂ-୨, ୪, ୭ ସହିତ ନ୍ୟୁ ପ୍ୟାଭିଲିୟନ, ସ୍ପେସିଆଲ ଏନକ୍ଲୋଜର ଏବଂ ଏସି ଗ୍ୟାଲେରି ବକ୍ସର ଟିକଟ କେବଳ ଅନ୍ଲାଇନରେ ବୁକିଂ ହୋଇପାରିବ। ଜଣେ ବ୍ୟକ୍ତି ୨ଟି ଟିକଟ ହିଁ ଅନଲାଇନରେ କିଣି ପାରିବେ। ସେହିପରି ଡିସେମ୍ବର ୩ ଓ ୪ରେ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡ଼ିକୁ ଟିକଟ ବିକ୍ରି କରାଯିବ। ମୋଟ ୪୨ହଜାର ଟିକଟରୁ ୧୧ହଜାର ଟିକଟ ଅନୁବନ୍ଧିତ ୟୁନିଟ୍ କିଣିବେ। ୧୦ହଜାର ଟିକଟ କାଉଣ୍ଟରକୁ ପଠାଯିବ ବୋଲି ସୂଚନା ଦିଆଯାଇଛି। ଡିସେମ୍ବର ୫ ତାରିଖରେ ବାରବାଟୀ ଷ୍ଟାଡିୟମ ନିକଟରେ ଟିକଟ କାଉଣ୍ଟର ଖୋଲିବ ବୋଲି ସୂଚନା ଦିଆଯାଇଛି। ବାରବାଟୀ ଷ୍ଟାଡିୟମରେ ଚତୁର୍ଥ ଥର ଟି-୨୦ ମ୍ୟାଚ୍ ଖେଳାଯିବ। ଭାରତ ଗସ୍ତରେ ଆସିଥିବା ଦକ୍ଷିଣଆଫ୍ରିକା ଦଳ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଏଠାରେ ଖେଳିବ। ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମ୍ୟାଚ୍ ପରିଚାଳନା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି। ଏକଦିବସୀୟ ଶୃଙ୍ଖଳା ଶେଷ ହେବା ପରେ ଆସନ୍ତା ୭ ତାରିଖରେ ଉଭୟ ଭାରତ ଓ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିବେ। ୮ ତାରିଖରେ ଉଭୟ ଦଳ ଅଭ୍ୟାସ ପାଇଁ କଟକ ଆସିବେ। ଦିନ ସମୟରେ ଭାରତ ଏବଂ ସନ୍ଧ୍ୟା ସମୟରେ ଦକ୍ଷିଣଆଫ୍ରିକା ଦଳ ଏଠାରେ ଅଭ୍ୟାସ କରିବେ। ଏହାକୁ ଦେଖିବା ଲାଗି ଗ୍ୟାଲେରି ନଂ-୬ ଓ ୭ ଫାଟକ ଖୋଲା ରଖାଯିବ। ଆବଶ୍ୟକସ୍ଥଳେ ଗ୍ୟାଲେରି ନଂ-୧ ଓ ୨ ମଧ୍ୟ ଖୋଲାଯିବାକୁ ଯୋଜନା ରଖାଯାଇଛି। ମ୍ୟାଚ୍ ନିମନ୍ତେ ମୋଟ ୫୦ କୋଟି ଟଙ୍କାର ବୀମା ହୋଇ ବୋଲି ସାମ୍ବାଦିକ ସମ୍ମିଳନୀରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି।
