ଜେଜେଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସି ମହାନଦୀରେ ବୁଡ଼ି ପ୍ରାଣ ହରାଇଲେ ଯୁବକ
#କଟକ(ଏନ୍.ଏମ୍.): କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ଘଟିଛି ଏକ ଅଭାବନୀୟ ଘଟଣା । ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି । ତାଙ୍କ ନାଁ ରୂପକ ବାନାର୍ଜୀ (୨୧) ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ କରୁଥିଲେ । ତାଙ୍କ ଘର କଟକର ସିଡିଏ-୬ରେ । ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ୧୦ଦିନ ତଳେ ରୂପକଙ୍କ ଜେଜେଙ୍କ ଦେହାନ୍ତ ହୋଇଯାଇଥିଲା । ଆଜି ଦଶତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ହାତୀଗଡ଼ା ଘାଟକୁ ଆସିଥିଲେ । ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିବା ବେଳେ ରୂପକ ଅଚାନକ ନଦୀକୂଳରେ ଥିବା ଏକ ଉଚ୍ଚସ୍ଥାନରୁ ନଦୀକୁ ଡେଇଁ ପଡ଼ିଥିଲେ । ତା’ପରେ ସେ ନିଖୋଜ ହୋଇ ଯାଇଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରିବା ପରେ ରୂପକ ବାନାର୍ଜୀଙ୍କ ମୃତଦେହ ମିଳିଥିଲା । ତେବେ ସେ କାହିଁକି ନଦୀକୁ ଡେଇଁଲେ ତାହା ଜଣା ପଡ଼ିନାହିଁ ।