ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତଥା ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପରିଚାଳନା ସମିତି ବୈଠକ
#କଟକ(ଏନ୍.ଏମ୍.): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତଥା ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳନା ସମିତି ବୈଠକ ଅନୁଷ୍ଠିତ ହୋଯାଇଛି। ସମଗ୍ର ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ସହ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତୀକରଣ କରାଯାଇ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଲରେ ଅଧିକରୁ ଅଧିକ ରୋଗୀସେବା ନିମନ୍ତେ ସୁବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏଥିସହ ସମଗ୍ର ଜିଲ୍ଲାର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଉନ୍ନତୀକରଣ କରାଯାଇ ଆଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ସହ ଆବଶ୍ୟକ ହେଉଥିବା ରୋଗୀ ସେବା ଓ ଚିକିତ୍ସା ନିମନ୍ତେ ବହିର୍ବିଭାଗ ତଥା ଅନ୍ତବିର୍ଭାଗ ଏବଂ ଚିକିତ୍ସା ଗୃହ ଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତରେ ସମାପ୍ତ କରାଯିବା ନେଇ ବୈଠକରେ ମତପ୍ରକାଶ ପାଇଥିଲା।
ଏହି ବୈଠକରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚାଲୁ ରହିଥିବା ସମସ୍ତ କାର୍ଯ୍ୟକ୍ରଗୁଡ଼ିକର ତଦାରଖ ପୂର୍ବକ ସମୀକ୍ଷା କରିବା ସହ ସମସ୍ତ ସ୍ୱାସ୍ଥ୍ୟ ଓ ଚିକିତ୍ସା କେନ୍ଦ୍ରମାନଙ୍କରେ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକ୍ଷକଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ସମିତିକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ପ୍ରଚଳିତ ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଗୁଡ଼ିକର ସମୟ ଅନ୍ତରରେ ସମୀକ୍ଷା କରାଯିବା ଉପରେ ବୈଠକରେ ମତବ୍ୟକ୍ତ କରିଥିଲେ ଏବଂ ଜନବସତିକୁ ଲକ୍ଷ୍ୟ ରଖି ରୋଗୀସେବା ଚିକିତ୍ସା, ଟେଷ୍ଟିଂ ଔଷଧ ବିତରଣ ଉପରେ ଗୁରୁତ୍ୱ ଦେବା ସହ ଆବଶ୍ୟକ ରୋଗୀସେବା ନିମନ୍ତେ ଡାକ୍ତର ଓ ସ୍ୱାସ୍ଥ୍ୟ ସହାୟକ ତୁରନ୍ତ ନିୟୋଜିତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ବୈଠକ ପରିଚାଳନା କରିବା ସହ ସ୍ୱାସ୍ଥ୍ୟସେବା ନିମନ୍ତେ ଆବଶ୍ୟକ ହେଉଥିବା ପ୍ରଶାସନିକ ବ୍ୟବସ୍ଥା ଓ ପଦକ୍ଷେପ ଗ୍ରହଣ କରାଯିବା ସମ୍ୱନ୍ଧରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା ବୈଠକରେ ଯୋଗଦେଇ ସ୍ୱାଗତ ସୂଚନା ପୂର୍ବକ ଜିଲ୍ଲାରେ ପ୍ରଚଳିତ ସ୍ୱାସ୍ଥ୍ୟ ସେବା ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମ ବିଶେଷକରି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃ ଅଭିଯାନ, ଶିଶୁ ସୁରକ୍ଷା ଓ ସ୍ୱାସ୍ଥ୍ୟ, ଟୀକାକରଣ, ରୋଗ ନିରାକରଣ, ଗ୍ରାମ୍ୟ ସ୍ୱାସ୍ଥ୍ୟ, ପରିମଳ ଓ ପୌଷ୍ଟିକତା, ପରିବାର ନିୟନ୍ତ୍ରଣ ଆଦି ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରିତା ସମ୍ବନ୍ଧରେ ତଥ୍ୟ ଉପସ୍ଥାପନା କରିବା ସହ ବିଭିନ୍ନ ଯୋଜନାରେ ନିୟୋଜିତ ମାନବ ସମ୍ବଳ, ବିଭାଗୀୟ ସଂପୃକ୍ତି ଓ ଗୃହ ନିର୍ମାଣ କାର୍ଯ୍ୟ ଏବଂ ଏଥିନିମନ୍ତେ ଖର୍ଚ୍ଚ ବରାଦ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସ୍ତାଣ୍ଡିଂ କମିଟି ଅଧ୍ୟକ୍ଷ ଆଶିଷ କୁମାର ସାହୁ, ଜିଲ୍ଲା ପରିଷଦ ଉପସଭାପତି ସୁଭଦ୍ରା ଦାସ, ଜିଲ୍ଲା ପରିଷଦ ଅତିରକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ ଖେମୁଣ୍ଡୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଚିକିତ୍ସା ଅଧିକ୍ଷକ, ଡି ପି ଏମ, ଡି ଡି ଏମ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଏବଂ ଜିଲ୍ଲାର ପୂର୍ତ୍ତ, ଗ୍ରାମ୍ୟ ଜଳଯୋଗାଣ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।