ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ
ଜିଲ୍ଲାରେ ୮୯୩ ଜଣ ନୂତନ କନିଷ୍ଠ ଶିକ୍ଷକ (ସେମାଟିକ)ଙ୍କ ନିଯୁକ୍ତି ଅନୁମୋଦନ କରାଯିବା ନେଇ ଆଲୋଚନା
#କଟକ (ଏନ୍.ଏମ୍.): ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ୮୯୩ଜଣ ନୂତନ କନିଷ୍ଠ ଶିକ୍ଷକ (ସେମାଟିକ)ଙ୍କ ନିଯୁକ୍ତିକୁ ଅନୁମୋଦନ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବଡମ୍ବା ବିଧାୟକ ବିଜୟ ଦଳବେହେରା, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ଉପ ସଭାପତି ସୁଭଦ୍ରା ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଉପରେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବୈଠକରେ ଉପସ୍ଥିତ ରହି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ମାନରେ ଉନ୍ନତି ଅଣାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ନୂତନ ଭାବେ ନିଯୁକ୍ତ ଶିକ୍ଷକମାନଙ୍କୁ ଦୁଇଟି ବିଭାଗରେ ନିଯୁକ୍ତି ଦିଆଯିବ। ବିଭାଗ-୧ରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ପ୍ରଥମରୁ ପଂଚମ ଏବଂ ବିଭାଗ -୨ରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷାଦାନ କରିବେ। ବିଭିନ୍ନ ବ୍ଲକର ଜଣେ ଲେଖାଏଁ ଶିକ୍ଷକ ଥିବା ବିଦ୍ୟାଳୟରେ ପ୍ରାଥମିକତା ଭିତିରେ ଶିକ୍ଷକମାନଙ୍କ ପଦବୀ ପୂରଣ କରାଯାଇଛି। ଏହାବ୍ୟତୀତ ଛାତ୍ର ଓ ଶିକ୍ଷକ ଅନୁପାତକୁ ଯୋଗ୍ୟତା ଆଧାରକୁ ନିଆଯାଇ ଖାଲି ପଡିଥିବା ବିଦ୍ୟାଳୟଗୁଡିକରେ ଶିକ୍ଷକ ପଦବୀ ପୂରଣ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ସନ୍ତୋଷ କୁମାର ରାଉତ ସୂଚନା ଦେଇଛନ୍ତି। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କଟକ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ, ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଆଶିଷ କୁମାର ସାହୁଙ୍କ ସମେତ ବ୍ଲକ୍ ଚେୟାରମ୍ୟାନ୍, ପ୍ରତିନିଧି, ଜିଲ୍ଳା ପରିଷଦ ସଦସ୍ୟ/ସଦସ୍ୟା ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଭିନ୍ନ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।