ଜଷ୍ଟିିସ୍ ରାଜ କିଶୋର ଦାସଙ୍କ ଶ୍ରାଦ୍ଧୋତ୍ସବ: ‘ଭାରତୀୟ ବିଚାର ବ୍ୟବସ୍ଥା ହେଉଛି ବିଶ୍ୱର ସର୍ବବୃହତ ବିଚାର ବ୍ୟବସ୍ଥା’

ଜଷ୍ଟିିସ୍ ରାଜ କିଶୋର ଦାସଙ୍କ ଶ୍ରାଦ୍ଧୋତ୍ସବ: ‘ଭାରତୀୟ ବିଚାର ବ୍ୟବସ୍ଥା ହେଉଛି ବିଶ୍ୱର ସର୍ବବୃହତ ବିଚାର ବ୍ୟବସ୍ଥା’


କଟକ(ଏନ୍‌.ଏମ୍‌.): ବିଶିଷ୍ଠ ଆଇନଜ୍ଞ, ସମାଜସେବୀ ତଥା ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରାଜ କିଶୋର ଦାସଙ୍କ ୨୬ ତମ ଶ୍ରାଦ୍ଧୋତ୍ସବ ଜୁମ୍ ୱେବିନାର୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ବିଚାରପତି ଶତୃଘ୍ନ ପୂଜାହାରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ଦାସଙ୍କୁ ଜଣେ ବାଗ୍ମୀ ଭାବେ ଅଭିହିତ କରିଥିଲେ । ତାଙ୍କ ବିଚାରପତି କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଜନହିତକର ରାୟ ପ୍ରଦାନ କରିଥିଲେ । ଆମେ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ବୋଲି ଜଷ୍ଟିସ୍ ପୂଜାହାରୀ ମତ ପ୍ରକାଶ କରିଥିଲେ । ସ୍ମୃତି ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ଚିତ୍ତ ରଞ୍ଜନ ପଣ୍ଡା ମୁଖ୍ୟବକ୍ତାଭାବେ ଯୋଗ ଦେଇ କହିଥିଲେ ଯେ ଭାରତୀୟ ବିଚାର ବ୍ୟବସ୍ଥା ହେଉଛି ବିଶ୍ୱର ସର୍ବବୃହତ ବିଚାର ବ୍ୟବସ୍ଥା । ଏହି ମର୍ମରେ ସେ ବର୍ତ୍ତମାନର ବିଚାର ବ୍ୟବସ୍ଥା ସମ୍ପର୍କରେ ମତ ପ୍ରଦାନ କରି କହିଥିଲେ ଯେ ବିଳମ୍ବ ନ କରି ଲୋକମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିଲେ ନ୍ୟାୟପାଳିକା ଲୋକଙ୍କ ଆହୁରି ବିଶ୍ୱାସଭାଜନ ହୋଇପାରିବ । ସେ କହିଲେ ଯେ ଆଜିର ବିଚାର ବ୍ୟବସ୍ଥା ପୂର୍ବରୁ ସମ୍ପ୍ରଦାୟ ତଥା ଗାଁରେ ହିଁ ସମସ୍ୟାର ସମାଧାନ କରାଯାଉଥିଲା । ଲୋକମାନେ ନ୍ୟାୟାଳୟକୁ ଯିବାକୁ ପସନ୍ଦ କରୁନଥିଲେ । ଏହି ମର୍ମରେ ପ୍ରଫେସର ପଣ୍ଡା ମନୁ ସ୍ମୃତି, ବେଦ ବେଦାନ୍ତରେ ନ୍ୟାୟ ପ୍ରଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପଦ୍ମ ଚରଣ ନାୟକଙ୍କୁ ସମାଜସେବା ସମ୍ମାନ, କେଶବ ଚନ୍ଦ୍ର ବେହେରାଙ୍କୁ ସମାଜସେବୀ ସମ୍ମାନ, ଦୁର୍ଗା ଚରଣ ଭୂତିଆଙ୍କୁ ଆଇନସେବା ସମ୍ମାନ, ପ୍ରଫେସର ଡ. ସଂଘମିତ୍ରା ପତିଙ୍କୁ ଚିକିତ୍ସା ବିଜ୍ଞାନୀ ସମ୍ମାନ, ପଣ୍ଡିତ ଏ. ମହେଶ୍ୱର ରାଓଙ୍କୁ ସଙ୍ଗୀତ ସମ୍ମାନ, ଡ. ବିଜୟ କୁମାର ଅଗ୍ରୱାଲ୍‌ଙ୍କୁ ସାମ୍ବାଦିକ ସମ୍ମାନ ପ୍ରଦାନ କରାଯାଇଥିଲା । ପୂର୍ବରୁ ସ୍ମୃତି ସଂସଦର ସମ୍ପାଦକ ଡଃ. ସତ୍ୟ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ଲୋକପାଳ ବିଚାରପତି ପ୍ରଦୀପ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଶଶୀଭୂଷଣ ଦାସଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *