ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ମାଡ଼ପିଟ,ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ,ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା

News by Maheswar Behera (Athagarh)

ନରସିଂହପୁର(ଏନ୍‌.ଏମ୍‌.): ନରସିଂହପୁର ଥାନା ଅନ୍ତର୍ଗତ ସାନ ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ମାଡ଼ପିଟ ହୋଇଥିବା ଜଣାପଡିଛି । ଏହାକୁ ନେଇ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବାବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ପରିବାର ଲୋକଙ୍କ ଥାନା ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ ନିଜ ଜମି ଉପରେ ନିତ୍ୟାନନ୍ଦ ସାହୁଙ୍କ ପରିବାର ୩ ବଖରା ଆଜବେଷ୍ଟ ଘର ସମେତ ଉକ୍ତ ଜମିରେ ଚାଷ ବାସ କରି ଚଳୁଥିଲେ । ଆଜି ସକାଳ ପ୍ରାୟ ୮ଟା ସମୟରେ ଗ୍ରାମର ଟିକି ପ୍ରଧାନ, ସର ପ୍ରଧାନ, ପ୍ରତିମା ପ୍ରଧାନ, ଟିନା ପ୍ରଧାନ ପ୍ରମୁଖ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ନିତ୍ୟାନନ୍ଦଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହିସମୟରେ ତିନି ବଖରା ଅଜବେଷ୍ଟସ ଘର ବାଡେଇ ଭାଙ୍ଗି ଦେବା ସହ ବାଡ଼ିରେ ଲଗା ଯାଇଥିବା ସମସ୍ତ ପନିପରିବା ଫସଲ ଓ ମୂଲ୍ୟବାନ ଗଛ ସବୁ ଉପାଡି ନଷ୍ଟ କରି ଦେଇଥିଲେ । ଏଥି ସହିତ ଅଶାଳୀନ ଭାଷାରେ ଗାଳି କରିବା ସହିତ ତୁରନ୍ତ ଏହି ଜାଗା ଛାଡି ନଗଲେ ସମସ୍ତଙ୍କୁ ହତ୍ୟା କରିବେ ବୋଲି ଆକ୍ରମଣକାରୀ ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଅଭିଯୋଗ ଆଧାରରେ ନରସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଅଭୟ ବେହେରା ସୂଚନା ଦେଇଛନ୍ତି । ଅପର ପକ୍ଷରେ ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀ ବେହେରା ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave a Reply

Your email address will not be published. Required fields are marked *