ଜଣ୍ଡିସ ନିରାକରଣ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବିରେ ଏସୟୁସିଆଇ(ସି) ପକ୍ଷରୁ ସ୍ମାରକପତ୍ର
#କଟକ(ଏନ୍.ଏମ୍.): ଯୁଦ୍ଧକାଳୀନ ଭିତ୍ତିରେ ଜଣ୍ଡିସ ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବା, ପ୍ରତ୍ୟେକ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଦକ୍ଷେପ ନେବା, ସହରର ବିଭିନ୍ନ ସ୍ଥାନରେ ନିମ୍ନମାନର ପାଇପ ପରିବର୍ତ୍ତେ ଉନ୍ନତମାନର ପାଇପ ଜରିଆରେ ପାନୀୟ ଜଳ ଯୋଗାଇ ଦେବା, ଜଳ ଯୋଗାଣ କନେକ୍ସନରୁ ମିଟର ହଟାଇବା ସହିତ ଜଳ ଦେୟ ଆଦୟ ବନ୍ଦ କରିବା ତଥା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚାଲୁଥିବାରୁ ସହରର ଜନଗହଳି ସ୍ଥାନମାନଙ୍କରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଦାବିରେ ଏସୟୁସିଆଇ(ସି)ପକ୍ଷରୁ ସ୍ମାରକପତ୍ର କଟକ ମହାନଗର ନିଗମ କମିଶନରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏସ୍ୟୁସିଆଇ (ସି) ଦଳର ଖଗେଶ୍ୱର ସେଠୀ, ଅକ୍ଷୟ କୁମାର ରାଉଳ, ବସନ୍ତ ନାୟକ, ବବି ବଳବନ୍ତରାୟ, ବିନୋଦ ସେଠୀ, ତରୁଣସେନ ନାୟକ, ଶିବାନୀ ସାହୁ, ସିପ୍ରା ମହାନ୍ତି, ଜୋତ୍ସ୍ନାରାଣୀ ଦାସ, ଆର୍ଯ୍ୟଭଟ୍ଟ ଭରଦ୍ୱାଜ, ଝରଣା ଦାସ, ସୁଜାତା ମହାପାତ୍ର ପ୍ରମୁଖ ପ୍ରତିନିଧି ଦଳରେ ଉପସ୍ଥିତ ଥିଲେ । ଦଳ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ କଟକରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ପାଣି ଏବେ ଲୋକଙ୍କ ପାଇଁ ବିଷ ହୋଇଛି । ରାଜେନ୍ଦ୍ରନଗରରେ ଦୂଷିତ ପାନୀୟ ଜଳ ପାଇଁ ବ୍ୟାପକ ଭାବେ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ନିମ୍ନମାନର ପାଇପ ଜରିଆରେ ଯୋଗାଇ ଦିଆଯାଉଥିବା ପାଣି ପିଇ କେବଳ ଗୋଟିଏ ୱାର୍ଡର ୮୬ ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଅଭିଯୋଗ ହେଉଛି । ସାରା ସହରର ପ୍ରାୟ ଏକା ପ୍ରକାର ଅବସ୍ଥା । ପ୍ରତିବର୍ଷ ସହରର ବିଭିନ୍ନ ସ୍ଥାନରେ ଦୁଷିତ ପାନୀୟ ଜଳ ପାଇଁ ଏହି ଭଳି ଜଣ୍ଡିସ ଓ ବଭିନ୍ନ ରୋଗ ବ୍ୟାପୁଛି । ମାତ୍ର ଅତ୍ୟନ୍ତ ଦୁଃଖର ବିଷୟ ପ୍ରଶାସନ ଏହାର ପ୍ରତିକାର କରୁନାହିଁ । ଅଥଚ ମିଟର ସଂଯୋଗ ଓ ‘ଜଳ ଦେୟ’ ଆଦାୟ ଚାଲିଛି । ଏପରିକି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସହରର ଜନଗହଳି ସ୍ଥାନମାନଙ୍କରେ ‘ପାନୀୟ ଜଳ ଯୋଗାଣ କେନ୍ଦ୍ର’ର ବ୍ୟବସ୍ଥା ହୋଇନାହିଁ । ଏଣୁ ଜଣ୍ଡିସ ନିରାକରଣ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏସୟୁସିଆଇ(ସି) ପକ୍ଷରୁ ଦାବି କରାଯାଇଛି ।