ଜଗା ସ୍କୁଲ ଯିବା ନେଇ ଚାଲିଛି ପ୍ରସ୍ତୁତି
#କନ୍ଧମାଳ(ଏନ୍.ଏମ୍.): ସ୍କୁଲ ଯିବ ଜଗା । କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ସ୍କୁଲ ପଠାଇବା ନେଇ ଚାଲିଛି ପ୍ରସ୍ତୁତି । ଏବେ ୧୦ ବର୍ଷରେ ପହଞ୍ଚିଥିବା ଜଗାର ପାଠ ପଢ଼ାକୁ ନେଇ ପରିବାର ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି । ତେଣୁ ଜିଲ୍ଲାପାଳଙ୍କୁ ଭେଟି ଜଗାର ସ୍କୁଲ ଆରମ୍ଭ କରିବା ନେଇ ଆଲୋଚନା କରିଛନ୍ତି ତାଙ୍କ ପରିବାର । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ବି ଆରମ୍ଭ ହେଲାଣି । ଜଗା କେଉଁ ସ୍କୁଲକୁ ଯିବ? ସ୍କୁଲକୁ ଗଲା ପରେ କିଭଳି ପାଠ ପଢ଼ିବ? କେଉଁ ପରିବେଶର ରହିବ ? କାହା କାହା ସହ ମିଶିବ? ଏହିସବୁ ଦିଗକୁ ଦୃଷ୍ଟିରେ ରଖି ଏବେ ଅନୁଧ୍ୟାନ ହେଉଥିବା କନ୍ଧମାଳ ସିଡିଏମଓ ମନୋଜ କୁମାର ଉପାଧ୍ୟାୟ କହିଛନ୍ତି । ବିଶେଷ ଭାବେ ଜଗାର ସୁରକ୍ଷା ଓ ସୁସ୍ଥ ପରିବେଶ ବେଶ୍ ଗୁରୁତ୍ୱବହନ କରୁଛି । ତା’ସହ ଜଗାର ଦ୍ୱିତୀୟ ଅପରେସନ୍ କରି ତାକୁ ହେଲମେଟ୍ ଫ୍ରି କରିବାକୁ ଯୋଜନା ରହିଛି । ଗତବର୍ଷ ଡିସେମ୍ବର ମାସରେ ଦିଲ୍ଲୀ ଏମ୍ସ ଡାକ୍ତରମାନେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଜଗା ଏବେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି । ପ୍ରତିଦିନ ପରିବାର ସହ ମେଡିକାଲ୍ ବାହାରକୁ ଯିବା ସହ ପଢ଼ାପଢ଼ି ଆରମ୍ଭ କଲାଣି । ଏହାସହ କେତେବେଳେ ପାର୍କକୁ ତ ଆଉ କେତେବେଳେ ମନ୍ଦିର ଓ ବଜାରକୁ ମଧ୍ୟ ତା ବାପା ସହିତ ଜଗା ବୁଲିବାକୁ ଯାଉଛି । କନ୍ଧମାଳ ଫିରିଙ୍ଗିଆ ବ୍ଲକ ମେଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜନ୍ମ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିଲା । ଦିଲ୍ଲୀ ଇଓଓଗଝରେ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲା । ପରେ ଏସସିବି ମେଡିକାଲରେ ଆଖି ବୁଜିଥିଲା କାଳିଆ । ଆଉ ଏହାରି ଭିତରେ ସେମାନଙ୍କ ପରିବାରକୁ ନୂଆ ଅତିଥି ଭାବେ ଭଉଣୀ ସୁଭଦ୍ରା ଆସିଛି ।