ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ଧାରଣା ଓ ପ୍ରତିବାଦ ସଭା

ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ଧାରଣା ଓ ପ୍ରତିବାଦ ସଭା


ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳ ର ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଏବଂ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ‘ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ସ୍ଥାନୀୟ ଜଗତପୁର ଗୋଲେଇଛକ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ସଭାପତି ତୀର୍ଥାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା । ବିଶେଷ କରି ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ହ୍ରାସ, ପ୍ରିପେଡ ମିଟର ପ୍ରଚଳନକୁ ବନ୍ଦ କରିବା, ଚାଇନା ମିଟର ପରିବର୍ତ୍ତେ ସ୍ୱଦେଶୀ ମିଟର ପ୍ରଚଳନ, କିଲୋୱାଟ ହାରରେ ବିଲ ନକରି ମିଟର ରିଡିଙ୍ଗ ଅନୁଯାୟୀ ବିଲ କରିବା, ଦୀର୍ଘ ଦିନର ଖୁଣ୍ଟ ଓ ମୁକୁଳା ତାରକୁ ବଦଳେଇବା, ମିଟର ବାବଦରେ ପ୍ରତିମାସରେ ଜିଜିୟା କର ସଦୃଶ ୪୦ଟଙ୍କା ଲେଖାଏଁ ଦେୟ ନେବାକୁ ବନ୍ଦ କରିବା, ସହ ଦୀର୍ଘଦିନରୁ ସଙ୍ଘ ଦ୍ୱାରା ପ୍ରସ୍ତାବିତ ନୂତନ ଗ୍ରୀଡ଼ ସ୍ଥାପନ ପାଇଁ ଦାବି କରାଯାଇଥିଲା । ଟାଟା କମ୍ପାନୀ ବିଦ୍ୟୁତ ବିତରଣର ଦାୟିତ୍ୱ ନେବାପରେ ଲୋକଙ୍କର ଧାରଣା ଥିଲା ଟାଟା ଗୋଟିଏ ପ୍ରତିଷ୍ଠିତ କମ୍ପାନୀ, ନିଶ୍ଚୟ ଭଲ ସେବା ଯୋଗାଇବ; ମାତ୍ର ଯଥା ପୂର୍ବମ ତଥା ପରଂ ଢଙ୍ଗରେ ଚାଲିଛି ଟିପିସିଓଡିଏଲ । କେବଳ ଫାଇନ ଆଦାୟ, ବିଲ ଆଦାୟ, କାମରେ ଲାଗିଛି । ଉପଭୋକ୍ତାମାନେ ଉତ୍ତମ ସେବା ପାଇବାରୁ ବଞ୍ଚିତ ବୋଲି ସଂଘ ଅଭିଯୋଗ କରିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା, ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ସଭାପତି ହରିହର ପଣ୍ଡା, ମାନସ ପରିଡା, ରଶ୍ମୀକାନ୍ତ ସାମଲ, ପୂଜାକମିଟି ମୁରବୀ ସଚ୍ଚିଦାନନ୍ଦ ଶୁକ୍ଳ, ଶିବ ପ୍ରଧାନ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ନଗେନ୍ଦ୍ର ମହାପାତ୍ର, ରମେଶ ଶରଣ, ଗୌରାଙ୍ଗ ମହାନ୍ତି, ଶ୍ରମିକ ନେତା ଲଷ୍ମୀଧର ଶରଣ, ଜୟନାରାୟଣ ତ୍ରିପାଠୀ, ଯୁବ ସଂଗଠକ ଚିତ୍ତରଞ୍ଜନ ମହାନ୍ତି ଓ ସନ୍ତୋଷ ଶୁକ୍ଳ, ବିରଞ୍ଚି ସାମଲ, ନାରୀନେତ୍ରୀ ଇତିଶ୍ରୀ ପଣ୍ଡା ପ୍ରମୁଖ ଧାରଣାରେ ଯୋଗଦେଇଥିଲେ । ଦୀର୍ଘ ସମୟ ଧରି ଆନ୍ଦୋଳନକାରୀମାନେ ଧାରଣାରେ ବସିବା ପରେ ବିଭାଗୀୟ ମ୍ୟାନେଜର ଇଂ. ଚନ୍ଦ୍ରଭାନୁ ମହାନ୍ତି, ସହକାରୀ ମ୍ୟାନେଜର ଇଂ ସରୋଜ ସାହୁ, କନିଷ୍ଠ ମ୍ୟାନେଜର ବିକାଶ କୁମାର ଭୋଇ ପ୍ରମୁଖ ଆସି ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଖୁବ ଶୀଘ୍ର ଜାଗା ଚିହ୍ନଟ କରାଯାଇ ଗ୍ରୀଡ଼ ସ୍ଥାପନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ କନିଷ୍ଠ ମ୍ୟାନଜେରଙ୍କ ବେପରୁଆ ଓ ମନମୁଖୀ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇ ଥିଲା । ଫୋନ ରିସିଭ ନକରିବା ଭଳି କାର୍ଯ୍ୟକୁ ଠିକ ଭାବେ ଦେଖିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟ ଲୋକମାନଙ୍କ ସ୍ୱାର୍ଥ ସମ୍ମୁଖରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ବୋଲି କହିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *