ଚୌଦ୍ୱାର ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ: ଅସାଧୁ ଚୋରା କୋଇଲା ପାଉଁଶ ବେପାରୀ ଗିରଫ
#ଚୌଦ୍ୱାର(ଏନ୍.ଏମ୍.): ରାଜ୍ୟରେ ଏବେ ବଢ଼ି ଚାଲିଛି ଅସାଧୁ ଆଉ କଳା ବ୍ୟବସାୟୀଙ୍କ ସାମ୍ରାଜ୍ୟ । ଏନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ କିଛି ଅସାଧୁ ବ୍ୟକ୍ତି ଏହାକୁ ଖାତିର ନକରି ବିଧିବଦ୍ଧ ଭାବେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ଚୌଦ୍ୱାର ଥାନାକୁ ମିଳିଛି ବଡ଼ ସଫଳତା । ସୂଚନା ମୁତାବକ ଗତ ୧୦ତାରିଖ ରାତିରେ ଚୌଦ୍ୱାର ଥାନା ଅନ୍ତର୍ଗତ ବାଣୀପଦା ପଞ୍ଚାୟତ ଗୋପାଳପୁର ଗ୍ରାମର ଅଜୟ ବେହେରାଙ୍କ ଅଭିଯୋଗ କ୍ରମେ କିଛି ଅସାଧୁ ବ୍ୟକ୍ତି ଉକ୍ତ ପଞ୍ଚାୟତର କଜଳଖଣା ଠାରେ ଥିବା ଇଡକୋ ଜମିରୁ ବେଆଇନ ଭାବେ କୋଇଲା ପାଉଁଶ ଚୋରି କରିବା ପାଇଁ ଯୋଜନା କରିବା ବେଳେ ପୁଲିସକୁ ଖବର ଦେବା ସନ୍ଦେହରେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ତେବେ ଅଭିଯୋଗ କ୍ରମେ ଚୌଦ୍ୱାର ପୁଲିସ ଉକ୍ତ ଜାଗାରେ ଚଢାଉ କରି ୯ଜଣ ସମେତ ମୁଖ୍ୟ ଆସାମୀକୁ ଗିରଫ କରିଥିଲା । ପୁଲିସର ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କ ମଧ୍ୟରେ ବିରଞ୍ଚି ସାହୁ, ପ୍ରେମାନନ୍ଦ ବେହେରା, ରମେଶ ନାୟକ, ପ୍ରଶାନ୍ତ ପ୍ରଧାନ, ଅଶୋକ କୁମାର ବେହେରା, ଚିତ୍ତରଞ୍ଜନ ବେହେରା, ରିତେଶ ନାୟକ ରହିଥିବାବେଳେ ଏମାନେ ସମସ୍ତେ ଗୋପାଳପୁର ଗ୍ରାମର ଏବଂ ଅଶୋକ ନାୟକ, ହିଦୟତ ଅଲି ବାଣୀପଦା ଗ୍ରାମର ଜଣାପଡିଛନ୍ତି । ସେମାନଙ୍କ ନିକଟରୁ ଓଡି ୦୫ ଏନ୍ ୦୫୫୭ ନମ୍ବର ଏକ ୱାଗନର କାର, ଓଡ଼ି ୧୬ ଡି ୦୯୦୮ ନମ୍ବର ଏକ ହାଇୱା ଟ୍ରକ ସମେତ ୨ଟି ମୋଟର ସାଇକେଲ ଜବତ୍ କରାଯାଇଛି । ଚୌଦ୍ୱାର ପୁଲିସ କେସ ନମ୍ବର ୩୬୨ଧାରା ୩୦୩(୨),୧୧୫(୨),୧୦୯,୩୫୧(୩) ୩(୫) ଭାରତୀୟ ନ୍ୟାୟ ସଂହିତା ଦ୍ୱାରା ସମସ୍ତ ଅଭିଯକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।