ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ଭୂସ୍ୱର୍ଗ

ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ଭୂସ୍ୱର୍ଗ
ଶୀତ ରାତିକୁ କମ୍ପାଉଛି ବଡ ବଡ ମେସିନ, ନିରବ ପ୍ରଶାସନ!


#Tangi-Choudwar #ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌): ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ପାଇଁ ସୁରକ୍ଷିତ ଭୂସ୍ୱର୍ଗ ପାଲଟିଯାଇଛି। ଦୀର୍ଘ ଦିନ ଧରି ଏଠାରେ ଚାଲିଛି ବ୍ୟାପକ ଓ ସଂଗଠିତ ମୋରମ ଚୋରା ଚାଲାଣ। ଦିନେ ସାଧାରଣ ମୁହଁ, ରାତି ହେଲେ ବିନା ଭୟରେ ମାଟି ତାଡ଼ିବା ମେସିନ ଗର୍ଜନ ଏହା ହିଁ ଚୌଦ୍ୱାର ଅଞ୍ଚଳର ନୂଆ ପରିଚୟ। ଅନ୍ଧାର ରାତିରେ ଇଡକୋ ଜମିକୁ ଲକ୍ଷ୍ୟ କରି ବେଆଇନ ଭାବେ ମୋରମ ତାଡ଼ି, ରାତାରାତି ଆଖପାଖ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଛି। ଶୀତ ରାତି ହେଲେ ମଧ୍ୟ ନିଦ ଭାଙ୍ଗିଯାଉଛି ସ୍ଥାନୀୟ ଲୋକଙ୍କର; କାରଣ ବଡ ବଡ ମେସିନର ଶବ୍ଦ। ବିଗତ ଦିନରେ ବେଆଇନ ମୋରମ ଚାଲାଣ ବିରୋଧରେ ଜଣେ ସଚେତନ ନାଗରିକ ୧୧୨କୁ କଲ୍ କରିଥିବା ବେଳେ ମାଫିଆଙ୍କ ରୋଷର ଶିକାର ହୋଇଥିଲେ। ଏହା ପରେ କିଛି ଦିନ ଚାଲାଣ ବନ୍ଦ ଥିଲେ ମଧ୍ୟ, ଏବେ ପାଖାପାଖି ଦୁଇ ମାସରୁ ଅଧିକ ସମୟ ଧରି ପୁଣି ଜୋରଦାର ଭାବେ ଚାଲିଛି ରାତିର ଚୋରା ଚାଲାଣ। ଆଶ୍ଚର୍ଯ୍ୟର କଥା, ସ୍ଥାନୀୟ ବିଭାଗୀୟ ଖଣି ଅଧିକାରୀ, ଟି.ପି.ଏମ୍ ଫାଣ୍ଡି ଓ ଚୌଦ୍ୱାର ଥାନାକୁ ଅନେକଥର ଜଣା ଯାଇଥିଲେ ମଧ୍ୟ କୌଣସି ପ୍ରକାର ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନାହିଁ। ଫଳସ୍ୱରୂପ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି। ମାଫିଆମାନେ ଏବେ ନିଜ କାୟା ବିସ୍ତାର କରି, ଯୁବଗୋଷ୍ଠୀଙ୍କୁ ଅର୍ଥର ଲୋଭ ଦେଖାଇ ଛକ ଛକରେ ଜଗାଇ ରଖୁଥିବା ଚର୍ଚ୍ଚା ଅଞ୍ଚଳରେ ଜୋର ଧରିଛି। ଏହା କେବଳ ପରିବେଶ ପାଇଁ ନୁହେଁ, ସାମାଜିକ ସୁରକ୍ଷା ପାଇଁ ମଧ୍ୟ ଗଭୀର ଆଶଙ୍କା ସୃଷ୍ଟି କରୁଛି। ସବୁକିଛି ଜାଣି ସୁଣି ମଧ୍ୟ ପ୍ରଶାସନର ଏହି ନିରବତାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ! କେବେ ଭାଙ୍ଗିବ ମୋହନ ସରକାରଙ୍କ ନିଦ? କେବେ ମୋରମ ମାଫିଆଙ୍କ ଉପରେ ପଡ଼ିବ ପ୍ରଶାସନର କଡ଼ା ହାତ

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *