ଚୌଦ୍ୱାର ଅଞ୍ଚଳରେ ବଢ଼ୁଛି ଚୋରି: କୁମ୍ଭକର୍ଣ୍ଣ ନିଦ୍ରାରେ ପୁଲିସ

ଚୌଦ୍ୱାର(ଏନ୍.ଏମ୍.):କଟକ କମିଶନରେଟ ପୁଲିସ ଅଧିନରେ ଥିବା ଚୌଦ୍ୱାର ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧିକ କାର୍ଯ୍ୟ। କେଉଁଠି ବଜାରରୁ ଦୋକାନ ଆଜବେଷ୍ଟ ତାଡ଼ି ଚୋରି ହୋଇ ଯାଉଛି ତ ଆଉ କେଉଁଠି ମନ୍ଦିର ଆଦି ଧର୍ମାନୁଷ୍ଠାନରୁ ଘନଘନ ଚୋରି। ପୁଣି ରାସ୍ତାକଡ଼ରୁ ବାଇକ ଚୋରି। ତେବେ ଚୌଦ୍ୱାର ଅଞ୍ଚଳରେ ବାରମ୍ବାର ଏଭଳି ଅପରାଧିକ କାର୍ଯ୍ୟ ବଢ଼ୁଥିବାବେଳେ ଚୌଦ୍ୱାର ଥାନା ପୁଲିସର ଅପାରଗତା ପଦାକୁ ଆସିଛି। ବିଶେଷ କରି କମିଶନରେଟ ଥାନାଗୁଡ଼ିକରେ ସମ୍ପୂର୍ଣ୍ଣ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ତଥା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜଣେ ଆରକ୍ଷୀ ନିରୀକ୍ଷକ ଏବଂ ଜଣେ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ନିଯୁକ୍ତି ପାଇଛନ୍ତି। ଦୁଇଜଣ ଦକ୍ଷ ଅଧିକାରୀ ନିୟୋଜିତ ଥାଇ ମଧ୍ୟ ଲୋକେ ଉପଯୁକ୍ତ ପୁଲିସ ସେବା ପାଇବାରୁ ବଞ୍ଚିତ ହେଉଥିବା ଦୁର୍ଭାଗ୍ୟର ବିଷୟ ବୋଲି ଅଭିଯୋଗ ହେଉଛି। ଫଳରେ ଉଭୟ ଦକ୍ଷ ଅଧିକାରୀଙ୍କ ପାରିବା ପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚୌଦ୍ୱାର ଥାନା ଅଞ୍ଚଳରେ। ସରକାରଙ୍କ ଗୃହ ବିଭାଗ ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ନିମନ୍ତେ ଥାନା ପ୍ରତିଷ୍ଠା ସହ ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏହା ଜନସାଧାରଣଙ୍କୁ କିଭଳି ସେବା ଯୋଗାଉଛି ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚୌଦ୍ୱାର ଅଞ୍ଚଳରେ ଗତ କିଛି ଦିନ ଧରି ଚୋରି, ଡକାୟତି ବଢ଼ି ଚାଲିଥିବାବେଳେ କଳା ବ୍ୟବସାୟୀଙ୍କ ଦୌରାତ୍ମ ମଧ୍ୟ ବୃଦ୍ଧି ପାଉଥିବା ଚର୍ଚ୍ଚା ହେଉଛି। ଏଥି ପାଇଁ ଖୋଦ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଯାହା ଦ୍ୱାରା ଗତ ଜାନୁଆରୀ ୧୩ତାରିଖରେ ଚୌଦ୍ୱାର ଓଟିଏମ ବଜାରରେ ବିଳମ୍ବିତ ରାତିରେ ୩ ଟି ଦୋକାନର ଆଜବେଷ୍ଟ ଭାଙ୍ଗି ଦୁବୃର୍ତ୍ତମାନେ ଚୋରି କରିନେଇଥିବା ଘଟଣାର କୌଣସି ସୁରାକ ମିଳିନଥିବାବେଳେ ଫେବୃଆରୀ ୨ତାରିଖରେ କଳିଙ୍ଗ ଛକ ପିଏଚଡି କାର୍ଯ୍ୟାଳୟ ସମ୍ମୁଖରୁ ବାଇକ ଚୋରି, ମାତ୍ର ୮ଦିନ ତଳେ ମା ଧୁମାବତୀଙ୍କ ମନ୍ଦିରରୁ ଚୋରି ଯାଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ମନ୍ଦିରରୁ ପୁନର୍ବାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ବାରମ୍ବାର ଚୋରି ହେବା ଦ୍ୱାରା ଚୌଦ୍ୱାର ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ଚୌଦ୍ୱାର ଥାନା ଉପରେ ଜନସାଧାରଣଙ୍କ ଭରଷା ତୁଟୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ୧୯୭୮ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଥାନାରେ ଜଣେ ଓଆଇସି, ୪ଜଣ କନେଷ୍ଟବଳ ଓ ଜଣେ ହାବିଲଦାରଙ୍କୁ ନେଇ ଆରମ୍ଭ ହୋଇଥିବାବେଳେ ଏବେ ଏହାର ଷ୍ଟାଫ ସଂଖ୍ୟା ପ୍ରାୟ ୭୧ରେ ପହଞ୍ଚିଛି। ଜଣେ ଆଇଆଇସି, ଜଣେ ଅତିରିକ୍ତ ଆଇଆଇସି ୭ଜଣ ସବ ଇନ୍ସପେକ୍ଟର, ୬ଜଣ ଏଏସଆଇ, ଜଣେ ହାବିଲଦାର, ୨୦ଜଣ କନେଷ୍ଟବଳ, ୧୫ଜଣ ଓପିଏଫ, ଏବଂ ୨୦ଜଣ ହୋମଗାର୍ଡ଼ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ଏହି ଥାନା ଅଧିନରେ ମୁଣ୍ଡମାଳ ଅଞ୍ଚଳରେ ଓଟିଏମ ଫାଣ୍ଡି ଓ ଟିପିଏମ ଫାଣ୍ଡି ଥିବାବେଳେ ଏବେ ଓଟିଏମ ଫାଣ୍ଡି ବନ୍ଦ ହୋଇଯାଇଛି। ତେବେ ଦେଖିବାକୁ ଗଲେ ଚୌଦ୍ୱାର ଥାନା ଅଞ୍ଚଳରେ ପ୍ରାୟ ୧.୫ଲକ୍ଷ ଜନସାଧାରଣ ବସବାସ କରୁଥିବାବେଳେ ୭୧ଜଣ ପୁଲିସ କର୍ମଚାରୀ ଓ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ମାତ୍ର ଚୌଦ୍ୱାର ଅଞ୍ଚଳରେ କମିଶନରେଟ ପୁଲିସ ପକ୍ଷରୁ ଘନଘନ ପଇଁତରା ବ୍ୟବସ୍ଥା ଥିଲେ ମଧ୍ୟ ବାରମ୍ବାର ଚୋରି, ଡକାୟତି, ପଥର, ମୋରମ ଆଦି ଲଘୁ ଖଣିଜର ଚୋରା ଚାଲଣ ଅବାଧରେ ଚାଲିଥିବାବେଳେ ପୁଲିସ ବିଭାଗର ନିଷ୍କ୍ରିୟତା ଦେଖିବାକୁ ମିଳିଛି।