ଖାକି ବର୍ଦ୍ଦିର ଅପବ୍ୟବହାର ମାମୁଁ କହିବାରୁ ପୁଲିସର ମାଡ : ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ

ଖାକି ବର୍ଦ୍ଦିର ଅପବ୍ୟବହାର ମାମୁଁ କହିବାରୁ ପୁଲିସର ମାଡ : ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ


ନିଶ୍ଚିନ୍ତକୋଇଲି (ଏନ୍‌.ଏମ୍‌.): ମାମୁଁ ଡାକ ଶୁଣି ନିଶ୍ଚିନ୍ତକୋଇଲି ପୁଲିସ କ୍ରୋଧାନ୍ୱିତ ହୋଇ ଜଣେ ଦଳିତ ଶିଶୁଙ୍କୁ ମାଡ ମାରିବା ସହ ତାର ବାପ ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ତାଙ୍କ ମାଆ କବିତା ବେହେରା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସର ଏଭଳି ହିଂସାତ୍ମକ ଆଚରଣକୁ ସାଧାରଣରେ ନାପସନ୍ଦ କରିବା ସହ ପ୍ରତିବାଦରେ ରାଜ୍ୟରାଜପଥ କଟକ-ଚାନ୍ଦବାଲି ରାସ୍ତାରେ ଟାୟାର ଜାଳି ଅବରୋଧ କରାଯାଇଛି । ଏଭଳି ଘଟଣା ଘଟିଛି ବଡକ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମ ପଣସପଡିଆ ଛକଠାରେ । ଏହି ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁତ୍ର କୈଳାସ ବେହେରା ସ୍ଥାନୀୟ ରଙ୍ଗମୁଣ୍ଡାଇ ବିଦ୍ୟାଳୟରୁ ଘରକୁ ଫେରୁଥିବା ବାଟରେ ଏକ ପୁଲିସ ଗାଡିକୁ ଦେଖି ମାମୁଁ ଗଲେ ବୋଲି ତାର ସାଙ୍ଗମାନଙ୍କୁ କହିଥିଲା । ଏକଥା ଥାନା ଏଏସ୍‌ଆଇ ଭଗବାନ ସାହୁ ଶୁଣିବା ପରେ ସେଠାରେ ଗାଡିକୁ ଅଟକାଇ ଛାତ୍ର କୈଳାସକୁ ଚାପୁଡା ମାରିବା, କାନଧରି ବସଉଠ୍ କରିବା, ଏପରିକି ଗୋଡତଳେ ପକାଇ ଭୁଲ ମଗାଇବା ଭଳି ଘଟଣା ଘଟାଇଥିଲେ । ଛାତ୍ରକୁ ଏଭଳି ଦଣ୍ଡ ଦେଇସାରିବା ପରେ ମଧ୍ୟ ତାର ବାପ ମାଆକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ପିଲାଟି କାନ୍ଦି କାନ୍ଦି ଆସି ଘରେ ସମସ୍ତ ବିଷୟ କହିବା ଏବଂ କେତେକ ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ ଏଘଟଣା ଦେଖି ପୁଲିସ ଉପରେ ଅସନ୍ତୋଷ ପ୍ରକଟ କରିଥିଲେ । କିଛି ସମୟ ପରେ ପୁଲିସ ଗାଡି ଥାନାକୁ ଫେରିବାରୁ ଲୋକମାନେ ଗାଡିକୁ ଅଟକାଇ ପୁଲିସକୁ ଗାଳିଗୁଲଜ କରିବା ସହିତ ତାଙ୍କର ବଦଳି ଦାବିରେ ରାସ୍ତାରୋକ୍ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଆଇଆଇସି ଚିନ୍ମୟୀ ସାହୁ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରି ରାସ୍ତାରୁ ଉଠାଇଦେଇଥିବା ବେଳେ ସଂପୃକ୍ତ ଘଟଣାର ତଦନ୍ତ କରିଥିଲେ । ଲୋକମାନଙ୍କର ଦାବିକୁ ଶୁଣି ସମସ୍ତଙ୍କୁ ଥାନାକୁ ଡାକି ଉକ୍ତ ଘଟଣାର ଆପୋଷ ସମାଧାନ ପାଇଁ କହିଥିଲେ । କିଛି ସମୟ ପରେ ସାଲେପୁର ଏସ୍‌ଡିପିଓ ବିମଳ ବାରିକ ଥାନାକୁ ଆସି ଏହାର ସମାଧାନ କରିବା ସହିତ ସଂପୃକ୍ତ ପୋଲିସଙ୍କୁ ଖୁବ୍ ଶୀଘ୍ର ବଦଳି କରାଯିବା ପାଇଁ ପ୍ରତିଶୃତି ଦେବା ପରେ ସ୍ଥାନୀୟ ଲୋକମାନେ ଶାନ୍ତ ପଡିଥିଲେ । ପୁଲିସର ଏଭଳି କାଣ୍ଡକୁ ସାଧାରଣରେ ନାପସନ୍ଦ କରାଯାଇଥିଲା ବେଳେ ମାମୁଁ ଡାକଶୁଣି ସଂପୃକ୍ତ ଏଏସ୍‌ଆଇ ଛାତ୍ରକୁ ମାରିନଥିବା କେବଳ ଧମକାଇଛନ୍ତି ବୋଲି ଆଇଆଇସି ଶ୍ରୀମତୀ ସାହୁ ତଦନ୍ତ କରି ଜାଣିଥିବା ପ୍ରକାଶ କରିଥିବାବେଳେ ନିଶ୍ଚିନ୍ତକୋଇଲି ଆଇଆଇସି ଶ୍ରୀମତୀ ସାହୁ ଅଧସ୍ତନ କର୍ମଚାରୀଙ୍କୁ ବଞ୍ଚାଇବା ପାଇଁ ଏଭଳି କହୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *