କୋଟିଆରେ ପଶିଲେ ବନ୍ଧାହେବେ ଆନ୍ଧ୍ର ଅଧିକାରୀ: ରାଜସ୍ୱମନ୍ତ୍ରୀ

କୋଟିଆରେ ପଶିଲେ ବନ୍ଧାହେବେ ଆନ୍ଧ୍ର ଅଧିକାରୀ: ରାଜସ୍ୱମନ୍ତ୍ରୀ


ଭୁବନେଶ୍ୱର(ଏନ୍‌.ଏମ୍‌.): କୋଟିଆ ଉପରେ ଆନ୍ଧ୍ରପ୍ରଦେଶର ଲୋଲୁପ ଦୃଷ୍ଟି ନେଇ ଗର୍ଜିଛନ୍ତି ରାଜସ୍ୱ ମନ୍ତ୍ରୀ। ଆନ୍ଧ୍ର ସବୁବେଳେ କୋଟିଆରେ ପ୍ରବେଶ କରି ଲୋକଙ୍କୁ ଭଡ଼କାଉଛି। ଆଉ କୋଟିଆକୁ ନିଜ ରାଜ୍ୟରେ ସାମିଲ କରିବା ପାଇଁ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ଚଳାଇ ଆସିଛି। କେତେବେଳେ ସରକାରୀ ଯୋଜାନ ଯୋଗାଇ ଦେଉଛି ତ ଆଉ କେତେବେଳେ ନିର୍ବାଚନ କରି ସେଠାରେ ଜନପ୍ରତିନିଧି ତିଆରି କରି ଓଡ଼ିଶା ବିରୋଧରେ ଲୋକଙ୍କୁ ଉସକାଉଛନ୍ତି। ତେବେ ଏସବୁ ଆଉ ଚଳିବ ନାହିଁ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ କୋଟିଆର ମା’ ଓଡ଼ିଶା, ମାଉସୀ ହେଉଛି ଆନ୍ଧ୍ରପ୍ରଦେଶ। ମା’ ଥିଲା ଯାଏଁ ମାଉସୀର ଆବଶ୍ୟକତା ନାହିଁ। କୋଟିଆ କାଲି ବି ଓଡ଼ିଶାର ଥିଲା, ଆଜି ବି ଓଡ଼ିଶାର ଅଙ୍ଗ ହୋଇ ରହିଛି। ଏଣିକି କୋଟିଆରେ ପଶିଲେ ଆନ୍ଧ୍ର ଅଧିକାରୀ ବନ୍ଧା ହେବେ। କୋଟିଆ ସୀମା ବିବାଦ ସଂପର୍କରେ ଆନ୍ଧ୍ର ସହ ଆଲୋଚନା କରାଯିବ। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରି କୋଟିଆ ଲୋକଙ୍କ ହୃଦୟ ଜିଣିବା ପାଇଁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ଯେ, କୋରାପୁଟ ଉପଜିଲ୍ଲାପାଳ ବର୍ତ୍ତମାନ କୋଟିଆର ନୋଡାଲ୍ ଅଧିକାରୀଭାବେ କାର୍ଯ୍ୟ କରୁଛନ୍ତି। ଜଣେ ଓଏଏସ୍ ଅଫିସରଙ୍କୁ ଓଏସଡି ଭାବେ ନିଯୁକ୍ତି ଦେବାକୁ ପଦକ୍ଷେପ ନିଆଯାଇଛିକ୍ଷ ଜିଲ୍ଲାପାଳଙ୍କ ‘ବିକଶିତ କୋଟିଆ’ ଯୋଜନା ଆଧାରରେ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ମହିଳା ଓ ଯୁବକଙ୍କୁ ବିଶେଷ ତାଲିମ ପ୍ରଦାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କୋଟିଆର ଛାତଛାତ୍ରୀଙ୍କ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷାର ନିୟମ କୋହଳ କରିବା ବିଚାରାଧୀନ ଅଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱରରେ ସୁବିଧାସୁଯୋଗ ଦିଆଯିବ। ଆଗାମୀ ଶିକ୍ଷାବର୍ଷ ପୂର୍ବରୁ କୋଟିଆରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ ଗୁରୁତ୍ୱ ଦିଆଯାଇଛି। କୋଟିଆରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୂପାନ୍ତର ସହ ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି ଓ ଭେଷଜ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ। କୋଟିଆ ଓ ଦେଓମାଳିକୁ ରାସ୍ତା ସଂଯୋଗ କାର୍ଯ୍ୟ ଯଥା ସମୟରେ ଶେଷ କରିବା, ଦେଓମାଳିକୁ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ସମୃଦ୍ଧ କରିବା ପାଇଁ ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜେଇପଦର ଓ ଦେଓମାଳି ଜଗନ୍ନାଥ ମନ୍ଦିରର ନବୀକରଣ ସହ ଆଗାମୀ ରଥଯାତ୍ରାକୁ ଅଧିକ ବର୍ଣ୍ଣାଢ୍ୟ ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *