କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ
ଡାକ୍ତର ପୁଅକୁ ଖୋଜି ଆଣିବା ପାଇଁ ବାପାର ଆକୁଳ ନିବେଦନ
ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ହାଉସିଂବୋର୍ଡ ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରା ଓ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ସପତ୍ନୀକ କେରଳ ଯାଇଥିବାବେଳେ ଭୂସ୍ଖଳନରେ ଉଭୟ ଡାକ୍ତର ନିଖୋଜ ହୋଇ ଯାଇଛନ୍ତି । ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଭଗବାନ ତାଙ୍କୁ ଭଲରେ ଫେରାଇ ଆଣନ୍ତୁ ବୋଲି ଆବାଳବୃଦ୍ଧବନିତା ପ୍ରାର୍ଥନା କରୁଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ବିପଦ ଯେ କେତେବେଳେ ଓ କେମିତି ଆସେ ତାହା କହିବା ଅସମ୍ଭବ । ସେହିଭଳି ଏକ ବିପଦ ମାଡ଼ି ଆସିଛି ଦୁଇଜଣ ଡାକ୍ତରଙ୍କ ପରିବାର ଉପରେ । କେରଳର ୱେନଡ଼ା ଭୂସ୍ଖଳନରେ କଟକ ଜିଲ୍ଲାର ଚୌଦ୍ୱାର ହାଉସିଂବୋର୍ଡ ଅଞ୍ଚଳର ଯୁବ ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରା ନିଖୋଜ ହୋଇଯିବା ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ସୂଚନା ମୁତାବକ ଗତ ଗତ ୨୬ ତାରିଖରେ ନିଜର କାମ ପାଇଁ ସେ ପତ୍ନୀ ପ୍ରିୟଦର୍ଶିନୀ ପାଲ ସହ ଡାକ୍ତର ଚିନ୍ନରା ଓ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ଏବଂ ତାଙ୍କ ପତ୍ନୀ ଡାକ୍ତର ସ୍ୱୀକୃତି ମହାପାତ୍ର ବାଙ୍ଗାଲୋର ଯାଇଥିଲେ । ସେଠୁ ସମସ୍ତେ ବୁଲିବା ପାଇଁ କେରଳର ୱିନାଡା ହିଲ ଷ୍ଟେସନ ଯାଇଥିଲେ । ସେଠାରେ ଏକ ହୋଟେଲରେ ରହିଥିବାବେଳେ ହଠାତ୍ ଭୂସ୍ଖଳନ ଯୋଗୁ ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରା ସମେତ ତାଙ୍କ ସହ ଥିବା ବନ୍ଧୁ ସ୍ୱାଧୀନ ପଣ୍ଡା ଭାସିଯାଇଥିବା ଶୁଣିବାକୁ ମିଳିଛି । ତେବେ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ପାଲ ସୁରକ୍ଷିତ ରହିଥିବା ବେଳେ ଡାକ୍ତର ପଣ୍ଡା ଙ୍କ ସ୍ତ୍ରୀ ସ୍ୱୀକୃତି ମହାପାତ୍ର ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ମିଳିଛି । ତେବେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରା ହାଇଟେକ୍ ମେଡିକାଲରେ ମେଡିସିନ ବିଭାଗରେ କାର୍ଯ୍ୟରତ ଥିବାବେଳେ ତାଙ୍କ ପତ୍ନୀ ପ୍ରିୟଦର୍ଶିନି ପାଲ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ । ତେବେ ଡାକ୍ତର ବିଷ୍ଣୁ ପ୍ରସାଦ ଓ ସାଥୀ ଡାକ୍ତର ସ୍ୱାଧୀନଙ୍କୁ କିଭଳି ଉଦ୍ଧାର କରାଯାଇ ନିଜ ଘରକୁ ଫେରିବା ଆଣିବ ପାଇଁ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ବାପା ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ।