କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁଲାଇ ୧୬ପର୍ଯ୍ୟନ୍ତ ଉଚ୍ଛେଦ, ନିର୍ମାଣ ଉପରେ କଟକଣା

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁଲାଇ ୧୬ପର୍ଯ୍ୟନ୍ତ ଉଚ୍ଛେଦ, ନିର୍ମାଣ ଉପରେ କଟକଣା


କଟକ (ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଏଭଳି ପରିସ୍ଥିତିରେ ଉଚ୍ଛେଦ, ନିର୍ମାଣ ଓ ଭଙ୍ଗାରୁଜାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ଏଭଳି ପରିସ୍ଥିତିକୁ ବିଚାରକୁ ନେଇ ହାଇକୋର୍ଟ ଉଚ୍ଛେଦ, ନିର୍ମାଣ ଓ ଭଙ୍ଗା ଉପରେ ଜୁଲାଇ ୧୬ ପର୍ଯ୍ୟନ୍ତ ଅଙ୍କୁଶ ଜାରି କରିବା ସହିତ ସମସ୍ତ ଅନ୍ତରୀଣ ନିର୍ଦ୍ଦେଶର ଅବଧି ବୃଦ୍ଧି କରିଛନ୍ତି । ବିଚାରପତି ଏସ.କେ. ମିଶ୍ର ଓ ବିଚାରପତି ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇ ଥିବା ଜଣାପଡ଼ିଛି । ଉଚ୍ଚ ନ୍ୟାୟାଳୟ ଏ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ । ତେବେ ପୂର୍ବରୁ ଜାରି କରାଯାଇଥିବା ଏପ୍ରିଲ ୨୯ ନିର୍ଦ୍ଦେଶର ସମୟସୀମା ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ରାଜ୍ୟର କୌଣସି ଅଦାଲତର ଅନ୍ତରୀଣ ନିର୍ଦ୍ଦେଶର ସମୟସୀମା ନ ଥିବ ଓ ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଆଦେଶ ରହିଥିବ; ତେବେ ନିର୍ଦ୍ଦିଷ୍ଟ ମାମଲାରେ ଏହା ସଂଶୋଧିତ ବା ଉଠାଇଦେବା ପାଇଁ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ । ସିଭିଲ କୋର୍ଟ ବା ଅନ୍ୟ ମଞ୍ଚ (ଫୋରମ)ରେ ମାମଲାରେ ଜବାବ ଦାଖଲ ନେଇ ଯଦି ନିର୍ଦ୍ଦିଷ୍ଟ ନିର୍ଦେଶ ନଥିବ; ତେବେ ଏହାର ଅବଧି ଜୁଲାଇ ୧୬ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ଏଥି ସହିତ ଉଚ୍ଛେଦ, ବେଦଖଲ ଓ ଭାଙ୍ଗିବା ଇତ୍ୟାଦି ସଂକ୍ରାନ୍ତରେ ଉଚ୍ଚ ନ୍ୟାୟାଳୟ ବା ଅନ୍ୟ ନିମ୍ନ ଅଦାଲତ ନ୍ୟାୟିକ ଓ ଅର୍ଦ୍ଧ ନ୍ୟାୟିକ ମଞ୍ଚ ଜାରି କରିଥିବା ନିର୍ଦ୍ଦେଶ ଜୁଲାଇ ୧୬ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଉଚ୍ଚ ନ୍ୟାୟାଳୟ ଓ ଦୌରା ଅଦାଲତଙ୍କ ନିର୍ଦ୍ଦେଶ ବଳରେ ଯଦି କୌଣସି ବ୍ୟକ୍ତି ସିଆରପିସିର ଧାରା ୪୩୯ରେ ଥିବା ବ୍ୟବସ୍ଥା ଅନୁସାରେ ଅନ୍ତରୀଣ ଜାମିନରେ ଛାଡ ପାଇଥାନ୍ତି ଓ ଏହି ଜାମିନର ନିର୍ଦ୍ଦିଷ୍ଟ ଅବଧି ଧାର୍ଯ୍ୟ କରାଯାଇ ଥାଏ ତେବେ ଏହି ଅନ୍ତରୀଣ ଜାମିନର ସମୟସୀମା ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଯଦି କୌଣସି ମାମଲାରେ ସର୍ବାଧିକ ଦଣ୍ଡାଦେଶ ୭ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ତେବେ ସିଆରପିସିର ଧାରା ୪୧(କ) ପାଳନ ନକରି ପୁଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତରବର ହେବ ନାହିଁ । ରାଜ୍ୟ ସରକାର, ସରକାରଙ୍କ କୌଣସି ବିଭାଗ, ପୌର ନିଗମ, ପରିଷଦ, ଗ୍ରାମ ପଞ୍ଚାୟତ ବା ଅନ୍ୟ କୌଣସି ବ୍ୟକ୍ତିବିଶେଷ ବା ଅନୁଷ୍ଠାନର ଆଜି ଦିନରେ ଦଖଲରେ ଥିବା ଜମି ବା ସମ୍ପତ୍ତିରୁ ଏହି ସମୟରେ ଉଚ୍ଛେଦ ଓ ନିର୍ମାଣ ଭାଙ୍ଗିବା ପାଇଁ ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ । ଉଚ୍ଚ ନ୍ୟାୟାଳୟ, ନିମ୍ନ ଅଦାଲତ, ପ୍ରାଧିକରଣ କିମ୍ବା ଅନ୍ୟ କୌଣସି ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ରାଜ୍ୟ ସରକାର, ସରକାରୀ ଅଧିକାରୀ, କେନ୍ଦ୍ର ସରକାର, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କମ୍ପାନୀ ବା ବ୍ୟକ୍ତିବିଶେଷଙ୍କ ପାଇଁ ଯଦି ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଶେଷ ହୋଇଥାଏ ବା ଶେଷ ହେବାକୁ ଯାଉଥାଏ ତେବେ ଏହି ଅବଧିକୁ ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *