କଟକ ସହରରେ ବୁଲା କୁକୁର ଉତ୍ପାତ: ସିଏମସି କମିଶନରଙ୍କୁ ସ୍ମାରକପତ୍ର

କଟକ ସହରରେ ବୁଲା କୁକୁର ଉତ୍ପାତ: ସିଏମସି କମିଶନରଙ୍କୁ ସ୍ମାରକପତ୍ର


କଟକ(ଏନ୍‌.ଏମ୍‌.): କଟକ ସହରରେ ବୁଲା କୁକୁରଙ୍କ ସଂଖ୍ୟାବୃଦ୍ଧି ଯୋଗୁଁ ସିଏମସି ପକ୍ଷରୁ ପ୍ରଚଳିତ ହୋଇଥିବା କୁକୁର ବନ୍ଧ୍ୟାକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦିଗହରା ହୋଇ ପଡ଼ିଛି। ଏନେଇ ସିଏମସି ପକ୍ଷରୁ କୁକୁର ଧରା ସ୍ୱତନ୍ତ୍ର ଗାଡ଼ି ସାଙ୍ଗକୁ କର୍ମଚାରୀମଧ୍ୟ ନିଯୁକ୍ତି ହୋଇଥିଲେ; ଏଥି ସହିତ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ କରିବା ନିମନ୍ତେ ପ୍ରାଣୀ ଚିକିତ୍ସାଳୟ ଓ ଡାକ୍ତର ନିଯୁକ୍ତି ଏବଂ ଚିକିତ୍ସାଧିନ କୁକୁରଙ୍କ ପାଇଁ ଖାଦ୍ୟପେୟ ନିମନ୍ତେ ଅର୍ଥ ବରାଦ ମଧ୍ୟ ହୋଇଥିଲା । ତେବେ ଏହି ବ୍ୟବସ୍ଥା କିଛି ଦିନ ଚାଲିବା ପରେ ଏବେ ସ୍ଥାଣୁ ପାଲଟି ଯାଇଛନ୍ତି । ଫଳରେ ଏବେ କୁକୁରଙ୍କ ସଂଖ୍ୟା ଢେର ବଢ଼ିଯାଇଛି । ଫଳରେ ସହରବାସୀ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଦୁଇଚକିଆ ଯାନ ନେଇ ଯିବାବେଳେ କୁକୁର ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହେବା ସାଙ୍ଗକୁ କୁକୁର କାମୁଡ଼ାର ଶିକାର ହେବା ଭଳି ସମସ୍ୟା ଭୋଗ କରିବାକୁ ପଡ଼ୁଛି । ଏନେଇ ସିଏମସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯାହାର ପରିଣାମ ସ୍ୱରୂପ ପ୍ରଭାବିତ ହେଉଛନ୍ତି ଜନସାଧାରଣ ବୋଲି କଲେଜଛକ ପୂଜା ପ୍ରତିଷ୍ଠାନ ପକ୍ଷରୁ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ସ୍ଥାନୀୟ କଲେଜ ଛକ ଅଞ୍ଚଳର ରେଭେନଶା ବିଶ୍ୱବିଦ୍ୟାଳୟ, ମଧୂସୁଦନ ଆନ ବିଶ୍ୱବିଦ୍ୟାଳୟ, ଅନେକ ଶିକ୍ଷାନୁଷ୍ଠାନ ଥିବାବେଳେ ଏହା ସହରର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ମଧ୍ୟରୁ ଅନ୍ୟତମ । ହେଲେ ଉକ୍ତ ଅଞ୍ଚଳରେ ବୁଲା ଓ ପାଗଳ କୁକୁରଙ୍କ ଉତ୍ପାତ ବଢିବାରେ ଲାଗିଛି । ପାଗଳ କୁକୁର କାମୁଡିବା ଦ୍ୱାରା ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଗତ ୨୯ତାରିଖ ଦିନ ସ୍ଥାନୀୟ ଅଞ୍ଚଳର ବୀରକିଶୋର ସାହୁ ନାମକ ଜଣେ ବରିଷ୍ଠ ନାଗରିକ ଏକ ପାଗଳ କୁକୁରର ଆକ୍ରମଣର ଶିକାର ହୋଇଥିଲେ । ସେ କୁକୁର କାମୁଡ଼ାର ଶିକାର ହୋଇ କଟକ ବଡ଼ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ରାସ୍ତାରେ କୁକୁରମାନେ ଶୋଇ ରହିବା କାରଣରୁ ଅନେକ ଦୁର୍ଘଟଣାଗ୍ରସ୍ତ ହେବାର ଦେଖିବାକୁ ମିଳିଛି ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କଲେଜ ଛକ ପୂଜା ପ୍ରତିଷ୍ଠାନ ପକ୍ଷରୁ ଦାବି କରାଯାଇଛି । ଏ ନେଇ ପୂଜାପ୍ରତିଷ୍ଠାନର ସମ୍ପାଦକ ଜଗନ୍ନାଥ ସାହୁ, କୋଷାଧ୍ୟକ୍ଷ ଲୋକନାଥ ଲେଙ୍କା, ତନ୍ମୟ କୁମାର ସାହୁ, ଜିତେନ୍ଦ୍ର ସାହୁ ପ୍ରମୁଖ ସିଏମସି କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ଏକକିତା ନକଲ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ନଗର ଉନ୍ନୟନ ବିଭାଗଙ୍କ ଗୋଚରାର୍ଥେ ପ୍ରେରଣ କରାଯାଇଥିବା ପ୍ରତିଷ୍ଠାନର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *