ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
କଟକ ସଦର ତହସିଲରେ ମିଳୁଛି ଜାଲ୍ ଉତ୍ତରାଧିକାରୀ ପ୍ରମାଣପତ୍ର !
କଟକ(ଏନ୍.ଏମ୍.): କଟକ ସଦର ତହସିଲ ଅଞ୍ଚଳରେ ଚଞ୍ଚକତା କରି କିଛି ଅସାଧୁ କର୍ମଚାରୀ ଓ ରାଜସ୍ୱ ନିରିକ୍ଷକଙ୍କୁ ହାତ ବାରିସି ଓ ଲାଞ୍ଚ ପ୍ରଦାନ କରି ଅଂଶୀଦାରମାନେ ଜାଲ୍ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ କରିବା ଭଳି ସଂଗୀନ ଅଭିଯୋଗ ଆସିଛି। ଉକ୍ତ ସମ୍ପତ୍ତିକୁ ବିକ୍ରୟ କରୁଥିବା ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଜମିରୁ ବେଦଖଲ କରିବା ଉଦ୍ଦେଶ୍ୟରେ ଷଡଯନ୍ତ୍ର କରୁଥିବା ଖବର ମିଳିଛି। ସ୍ଥାନୀୟ କନ୍ଦରପୁର ଥାନା ଅଧୀନ ସିଦ୍ଧେଶ୍ୱର ଅନ୍ତର୍ଗତ ଅଥଙ୍ଗା ଗ୍ରାମର ସ୍ୱର୍ଗତ ମଦନ ମୋହନ ବେଉରାଙ୍କ ପୁତ୍ର ପର୍ଶୁରାମ ବେଉରା କଟକ ଜିଲ୍ଲାପାଳଙ୍କ ନିକଟରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, କଟକ ସଦର ଥାନା ନଂ-୧୦୫, ତହସିଲ ନଂ-୩୦୯, ଖାତା ନଂ-୨୮୫, ଚକ ନଂ-୧୪୯, ପ୍ଲଟ ନଂ-୪୦୯, ଏ ୦.୧୬୦ ଡେସିମିଲ୍ ସମ୍ପତ୍ତି ସହିତ ଏହିପରି ଏକର ଏକର ପୈତୃକ ମୁଲ୍ୟବାନ ସମ୍ପତ୍ତି ଗୁଡିକର ସେ ଭାଗୀଦାର ଥିଲେ ମଧ୍ୟ ତାଙ୍କର ଅଂଶୀଦାର ଭାଇମାନେ ତଥା ସେମାନଙ୍କର ଅନ୍ୟ ସହଯୋଗୀମାନେ ମିଶି ଜମି ହଡପ ଓ ତାଙ୍କୁ ବେଦଖଲ କରିବା ଉଦ୍ଦେଶ୍ୟରେ ଚକ୍ରାନ୍ତ କରିଛନ୍ତି। ଉପରୋକ୍ତ ସମ୍ପତ୍ତିମାନଙ୍କରୁ ତାଙ୍କ ଭାଗ ନଦେବାକୁ ଏଭଳି ଚକ୍ରାନ୍ତ କରି ତହସିଲ କାର୍ଯ୍ୟାଳୟର କେତେକ ଅର୍ଥ ପିପାଷୁ କର୍ମଚାରୀ ଏବଂ କନ୍ଦରପୁର ରାଜସ୍ୱ ନିରିକ୍ଷକଙ୍କ ଜରିଆରେ ଲିଗାଲ୍ ହେୟାର ଉତ୍ତରାଧିକାରୀ ପ୍ରମାଣପତ୍ରରୁ ତାଙ୍କ ନାମ ବାଦ ଦିଆଯାଇଛି। ଏଥି ସହିତ ସେହି ଅଂଶ ସମ୍ପତ୍ତିକୁ ବିକ୍ରୟ କରିଦେଉଛନ୍ତି। ଏପରି କି ତାଙ୍କ ଭାଗ ସମ୍ପତ୍ତିରେ ମଧ୍ୟ ଜୋର ଜବରଦସ୍ତ ଘରଦ୍ୱାର କରି ଭଡା ସୂତ୍ରରେ ଲଗାଇ ଟଙ୍କା ଆଦାୟ କରୁଥିବାବେଳେ ତାଙ୍କୁ କୌଣସି ଅର୍ଥ ଦିଆଯାଉ ନାହିଁ। ତେବେ ସେ ଓ ତାଙ୍କ ପରିବାର ବାହାରେ ରହୁଥିବାର ସୁଯୋଗ ନେଇ ଅନ୍ୟ ଅଂଶିଦାରମାନେ ତାଙ୍କ ନାମକୁ ବାଦ ଦେଇ କେଉଁ ବିଦ୍ଧି ଅନୁଯାୟୀ କନ୍ଦରପୁର ରାଜସ୍ୱ ନିରିକ୍ଷକଙ୍କ ମାଧ୍ୟମରେ ଜାଲ୍ ଲିଗାଲ୍ ହେୟାର (ଉତ୍ତରାଧିକାରୀ ପ୍ରମାଣପତ୍ର) ହାତେଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏହାକୁ ଜିଲ୍ଲାପାଳ ଗୁରୁତ୍ୱର ସହିତ ଗ୍ରହଣକରି ଏପରି ଏକ ଅଭାବନୀୟ ଘଟଣାର ଗମ୍ଭୀରତାର ସହିତ ଅନୁସନ୍ଧାନ କରାଯାଇ ବେଆଇନ କାର୍ଯ୍ୟ କରୁଥିବା କର୍ମଚାରୀ ଓ ରାଜସ୍ୱ ନିରିକ୍ଷକଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ/ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉତ୍ତରାଧିକାରୀମାନେ ହାତେଇଥିବା ଜାଲ ସାର୍ଟିଫିକଟେକୁ ଖାରଜ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ବେଉରା ନିବେଦନ କରିଛନ୍ତି।