କଟକ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ
#କଟକ (ଏନ୍.ଏମ୍.): ରାଜ୍ୟ ସରକାରଙ୍କ ଶହେ ଦିନ ପୂର୍ତ୍ତି ଅବସରରେ କଟକ ଖ୍ରୀଷ୍ଟିଆନ୍ ପଡିଆ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ମେଳାର ଉଦଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଗତ ଶହେ ଦିନ ମଧ୍ୟରେ ହୋଇଥିବା ଜନକଲ୍ୟାଣକାରୀ ଯୋଜନା ଓ ବିଭିନ୍ନ ଉନ୍ନୟନମୂଳକ ବିକାଶର ରିପୋର୍ଟ କାର୍ଡ ମନ୍ତ୍ରୀ ଶ୍ରୀ ସିଂହଦେଓ ଉପସ୍ଥାପିତ କରିଥିଲେ। ରାଜ୍ୟରେ ବିଜେପି ଏକାକି ସରକାର ଗଠନ କରିବାର ମାତ୍ର ୧୦୦ ଦିନ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇ ପାରିଛି। ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବା ସହ, ରତ୍ନଭଣ୍ଡାର ଖୋଲାଯିବା, ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜନଶୁଣାଣୀକୁ ଅଗ୍ରାଧିକାର ଦିଆଯିବା, ସିଏମ୍ କିଷାନ ସମ୍ମାନ ଯୋଜନାରେ ୪୬ ଲକ୍ଷ ଚାଷୀଙ୍କୁ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପ୍ରଦାନ, ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ ନିଷ୍ପତି, ସୁଭଦ୍ରା ଯୋଜନାର ଶୁଭାରମ୍ଭ, ବଜେଟରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ ଭଳି ଅନେକ ଯୋଜନା ହାତକୁ ନେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଏଥିସହ ଆଗକୁ ଜିଲ୍ଲାର ପ୍ରତ୍ୟେକ ସବଡିଭିଜନରେ ଶୀତଳ ଭଣ୍ଡାର ଖୋଲାଯିବାକୁ ଯୋଜନା ଥିବା ମନ୍ତ୍ରୀ କହିଛନ୍ତି। ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସରକାରଙ୍କ ଶହେ ଦିନର ଜନକଲ୍ୟାଣମୂଳକ ଯୋଜନାଗୁଡିକ ଉପରେ ଆଲୋକପାତ କରିଥିଲେ। ପ୍ରଗତିର ନୂତନ ସୂର୍ଯ୍ୟୋଦୟ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ବକ୍ତାମାନେ ସହଯୋଗ କାମନା କରିଥିଲେ। ଜିଲ୍ଳାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ୫ଜଣ ସୁଭଦ୍ରା ହିତାଧିକାରୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ। ବିକାଶ ମେଳା ଅବସରରେ ତିନିଦିନିଆ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଓରମାସ୍ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀରେ କୃଷି, ଗ୍ରାମୀଣ କୁଟୀର ଶିଳ୍ପ, ହସ୍ତତନ୍ତ, ହସ୍ତଶିଳ୍ପ, ମିଶନ୍ ଶକ୍ତି, ମହିଳା ଓ ଶିଶୁ ବିକାଶ, ପ୍ରାଣୀସମ୍ପଦ, ପର୍ଯ୍ୟଟନ ଓ ବିଭିନ୍ନ ବିଭାଗର ପ୍ରାୟ ୩୦ରୁ ଅଧିକ ଷ୍ଟଲ ସ୍ଥାନ ପାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ଜିଲ୍ଲାର ବରପୁତ୍ର, ବିଶିଷ୍ଟ ସାହିତ୍ୟିକ, ପଦ୍ମ ତଥା ଏକାଡେମୀ ପୁରସ୍କାର ବିଜେତାଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷ, ଐତିହାସିକ ସ୍ଥଳୀ ଓ ଓଡ଼ିଆ ଅସ୍ମିତାକୁ ନେଇ ସୂଚନା ଓ ଲୋକସମ୍ପର୍କ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରୟାସରେ ଏକ ସ୍ୱତନ୍ତ୍ର ଷ୍ଟଲ ସ୍ଥାନ ପାଇଛି। ଷ୍ଟଲ ବୁଲିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।