କଟକ ଜିଲ୍ଲାସ୍ତରୀୟ ପର୍ଯ୍ୟଟନ ଦିବସ
#କଟକ(ଏନ୍.ଏମ୍.): ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ପାନ୍ଥ ନିବାସଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଉନ୍ନୟନ ଉପ ନିର୍ଦ୍ଦେଶକ ସୁଜାତା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଯୋଗଦେଇ ଚଳିତ ବର୍ଷ ବିଷୟ ବସ୍ତୁ “ପର୍ଯ୍ୟଟନ ଓ ଶାନ୍ତି’ ଉପରେ ନିଜର ମତବ୍ୟକ୍ତ କରି ପର୍ଯ୍ୟଟନ ଦେଶ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିଥାଏ ଏବଂ ପର୍ଯ୍ୟଟନ ଶାନ୍ତି ଓ ଭାଇଚାରା ସୃଷ୍ଟି କରିବା ସହ ମନକୁ ଆନନ୍ଦ ଓ ଶାନ୍ତି ଦେଇଥାଏ ବୋଲି କହିଥିଲେ। କଟକ ଜିଲ୍ଲାରେ ବହୁ ଐତିହାସକ ପର୍ଯ୍ୟଟନସ୍ଥଳୀ ଅଛି ସେସବୁ ସ୍ଥଳକୁ ପରିଭ୍ରମଣ କରିବାପାଇଁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ପର୍ଯ୍ୟଟନ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଆର୍ôଥକ ବିକାଶ କରିଥାଏ ବୋଲି ମତ ଦେଇଥିଲେ। ଏଥିସହ ପାରମ୍ପାରିକ ଓ ଐତିହାସିକ କ୍ଷେତ୍ରର ଗବେଷଣା ନିମନ୍ତେ ବହୁ ବିଦେଶୀ ପର୍ଯ୍ୟଟକ ମଧ୍ୟ ବିଭିନ୍ନ ଦେଶ ପରିଭ୍ରମଣରେ ଆସିଥାନ୍ତି ଯାହାଫଳରେ ଦେଶ ଦେଶ ମଧ୍ୟରେ ମୈତ୍ରୀ ଓ ଶାନ୍ତି ଭାବ ପ୍ରତିଷ୍ଠା ହୋଇଥାଏ। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଆମ ଭାରତ ବର୍ଷ ବହୁ ଆଗକୁ ଗତି କରିବ ବୋଲି ଏହି ବୈଠକରେ ସେ ସୂଚନା ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ସହକାରୀ ସୂଚନା ଅଧିକାରୀ ସ୍ୱାଗତିକା ବେହେରା ଓ ଅଭିରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।