କଟକ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୪
କଟକ(ଏନ୍.ଏମ୍.): ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, କଟକ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରେସ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ପ୍ରେସ୍ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ପ୍ରେସ ଦିବସର ସ୍ଥିରୀକୃତ ଆଲୋଚ୍ୟ ବିଷୟବସ୍ତୁ ‘ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ’ ଉପରେ ଆଲୋଚନା ପୂର୍ବକ ସମାରୋହର ମୁଖ୍ୟଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପୋ କହିଲେ ଯେ, କଟକରେ ସାମ୍ବାଦିକତାର ନିଆରାପଣ ରହିଛି। ଏବେ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସାମାଜିକ ଗଣମାଧ୍ୟମର ମଧ୍ୟ ଗୁରୁତ୍ୱ ବଢିଛି। ସମସ୍ତ ପ୍ରକାରର ଖବରକୁ ଓଜନଦାର ଓ ମହତ୍ୱପୂର୍ଣ୍ଣ କରିବାର ଦାୟିତ୍ୱ ମଧ୍ୟ ଗଣମାଧ୍ୟମରେ ସମାନ ଭାବରେ ବୃଦ୍ଧି ପାଇଛି। ସୁସ୍ଥ ବାତାବରଣ ନିମନ୍ତେ ବିଭିନ୍ନ ବର୍ଗର ସାମ୍ବାଦିକମାନେ ନିଆରା ଢଙ୍ଗରେ ସମ୍ବାଦ ପରିବେଷଣ କରିବାର ଆବଶ୍ୟକତା ରହିଛି। ଗଣମାଧ୍ୟମ କ୍ଷେତ୍ରରେ ପରିବର୍ତ୍ତନ ଯଦିଓ ସମ୍ଭବପର ତେବେ ଏହି ପରିବର୍ତ୍ତନ ସହ ତାଳ ଦେଇ ନିରପେକ୍ଷ, ନିଜସ୍ୱମତ ସମ୍ପନ୍ନ ଓ ମାନବିକତାପୂର୍ଣ୍ଣ ସମ୍ବାଦ ପ୍ରସ୍ତୁତି ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟୋପୋ ଗୁରୁତ୍ୱପ୍ରଦାନ କରିଥିଲେ।
ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରାଧ୍ୟାପକ ଡ. ଦେବୀଲାଲ ମିଶ୍ର ଯୋଗଦେଇ ସାମ୍ବାଦିକମାନଙ୍କର ଏକ ଭିନ୍ନ ଦୃଷ୍ଟିକୋଣ ରହିଥାଏ ବୋଲି କହିବା ସହ ଖବର ପ୍ରସ୍ତୁତି ଠାରୁ ଆରମ୍ଭ କରି ଏହାକୁ ପରିବେଷଣ କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସାମ୍ବାଦିକମାନେ ସେମାନଙ୍କର ନିଜସ୍ୱ ଦୃଷ୍ଟିଭଙ୍ଗୀକୁ ଉପସ୍ଥାପନ କରିଥାନ୍ତି ବୋଲି କହିଥିଲେ। ପରିବର୍ତ୍ତନଶୀଳ ସ୍ୱରୂପ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିରପେକ୍ଷତା ଅବଲମ୍ବନ କରି ସମ୍ବାଦ ପରିବେଷଣ କରିବା ଜଣେ ସାମ୍ବାଦିକ ପାଇଁ ବଡ ଆହ୍ୱାନ। ସମାଜ ଓ ଗଣମାଧ୍ୟମ ଅଙ୍ଗାଙ୍ଗୀ ଭାବେ ଜଡିତ। ଗଣତନ୍ତ୍ର ପାଇଁ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଥିବା ବେଳେ ସଠିକ ସୂଚନା ସହ ସଠିକ କଥାକୁ ଯଥାର୍ଥରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା, ଭବିଷ୍ୟତର ସାମ୍ବାଦିକତା କିଭଳି ସମୃଦ୍ଧ ହେବ, ସେ ସମ୍ବନ୍ଧରେ ପ୍ରାଧ୍ୟାପକ ଡ. ମିଶ୍ର ମଧ୍ୟ ମତ ରଖିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଆଲୋଚ୍ୟ ବିଷୟବସ୍ତୁ ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ ସମ୍ବନ୍ଧରେ ନିଜର ମତରଖି କହିଲେ ଯେ, ଏହି ପରିବର୍ତ୍ତନ ସମାଜର ହିତ ପାଇଁ ଗଠନ ମୂଳକ ହେବା ଦିଗରେ ସାମ୍ବାଦିକ ମାନେ ଯତ୍ନବାନ ହେବା ଆବଶ୍ୟକ। ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେବା ସହ ପରିବର୍ତ୍ତନ ସ୍ୱରୂପ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ସ୍ୱରରେ ପରିଣତ କରିପାରି ସମ୍ବାଦ ପରିବେଷଣ ହୋଇପାରିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ କୈଳାଶ ଜେନା, ବରିଷ୍ଠ ସାମ୍ବାଦିକ ଜୟ ମହାନ୍ତି, ଯୁବ ସାମ୍ବାଦିକ ଇମରାନ ଖାନ, ଦିପେଶ ମହାପାତ୍ର, ଅଜୟ କୁମାର ଦାସ, ସାମ୍ବାଦିକ ପ୍ରଭାତ କୁମାର ବିଶୋଇ ପ୍ରମୁଖ ଆଲୋଚନାର ବିଷୟବସ୍ତୁ ଉପରେ ନିଜର ମତାମତ ପ୍ରକାଶ କରିବା ସହ ସାମ୍ବାଦିକମାନେ ସର୍ବଦା ସତ୍ୟକୁ ସମାଜ ଆଗରେ ପରିବେଷଣ କରିବାର ଦାୟିତ୍ୱ ନିର୍ବାହ କରିବା ଉଚିତ୍ ବୋଲି କହିଥିଲେ। ସାମ୍ବାଦିକମାନଙ୍କ ଲେଖନୀ ସମାଜର ବିଭିନ୍ନ ଦିଗକୁ ଆଲୋକିତ କରୁ ଏବଂ ସମାଜର ଉନ୍ନତି ସାଧନ ଦିଗରେ ସହାୟକ ହେଉ ବୋଲି ମତବ୍ୟକ୍ତ କରିଥିଲେ। ସମାରୋହରେ ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଦିଗରେ ସେମାନେ ନିଜର ଉଦ୍ୟମ ବଜାୟ ରଖିବେ ବୋଲି ମତ ଦେଇଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସହକାରୀ ସୂଚନା ଅଧିକାରୀ ସ୍ୱାଗତିକା ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।