କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବାଙ୍କୀ(ଏନ୍.ଏମ୍.): ନିଜର ଅଧିକାର ନପାଇ ଆଜି ଜଣେ ମହିଳା କଟକ ଜିଲ୍ଲାପାଳଙ୍କ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। କଟକ ଜିଲ୍ଲା ବାଙ୍କୀ ବ୍ଲକରେ ଜନ ଅଭିଯୋଗ ଶୁଣାଣି ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ପରିବାର ମଙ୍ଗଳ ଯୋଜନା ସହାୟତା ମିଳୁନଥିବା ଅଭିଯୋଗ ଆଣି ମହିଳା ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେବାକୁ ପ୍ରୟାସ କରିଛନ୍ତି। ମହିଳା ଜଣଙ୍କ ଜିଲ୍ଲାପାଳଙ୍କ ଆଗରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିବାବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ମହିଳା ଜଣକ ବୈଦେଶ୍ୱର ଗାଁର ସସ୍ମିତା ମାଝୀ ବୋଲି ଜଣାପଡ଼ିଛି। ସେ ଦୀର୍ଘ ଦିନ ଧରି ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଭତ୍ତା ପ୍ରାପ୍ୟ ୨୦ ହଜାର ଟଙ୍କା ପାଇବା ଲାଗି ବାରମ୍ବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ। ମାତ୍ର ଲିଗାଲ ହେୟାର ସାର୍ଟିଫିକେଟରେ ତ୍ରୁଟି ରହିଥିବା ଦର୍ଶାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ତାଙ୍କୁ ଫେରାଇ ଦେଉଥିଲେ। ତେଣୁ ସେ ଆଜି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ପୋଲିସ ତାଙ୍କଠାରୁ ପେଟ୍ରୋଲ ବୋତଲ ଛଡାଇ ନେବା ସହ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଯଦି ଆଗାମୀ ଦିନରେ ତାଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ସେ ପୁନର୍ବାର ଆତ୍ମାହୁତି ଦେବେ ବୋଲି ସସ୍ମିତା ଚେତାବନୀ ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଜିବି ପ୍ରଶାସନିକ ଅବହେଳାର ଶିକାର ହେଉଛନ୍ତି କି ସାଧାରଣ ଜନତା। ବିଭାଗୀୟ ଅଧିକାରୀଙ୍କ ଠାରୁ ନିରାଶ ହୋଇ ଏଭଳି ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଥିଲେ କି ବିଧବା ମହିଳା ଜଣକ। ଟିକେ ତ୍ରୁଟି ଦେଖିଲେ ଦରମା ବନ୍ଦ କରି ଚର୍ଚ୍ଚାକୁ ଆସିଥିବା କଟକ ଜିଲ୍ଲାପାଳ ଏ ଘଟଣାର କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ନିଜର ଦାୟିତ୍ୱ ସାରିଦେବେ ନା ବିଧବା ମହିଳାଙ୍କୁ ନ୍ୟାୟ ଦେବେ।
