କଟକ ଉପକଣ୍ଠରେ ପୁଣି ହାତୀ
#ଚୌଦ୍ୱାର(ଏନ୍.ଏମ୍.): କଟକ ଉପକଣ୍ଠରେ ଜଙ୍ଗଲୀ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବିଶେଷ କରି ଜଙ୍ଗଲରେ ଏବେ ଖାଦ୍ୟାଭାବ ଯୋଗୁଁ ବନ୍ୟଜନ୍ତୁମାନେ ଗ୍ରାମାଭିମୁଖୀ ହେଉଛନ୍ତି । ପ୍ରତିବର୍ଷ ହାତୀ କଟକ ସହର ଭିତରକୁ ପଶି ଆସୁଥିବା ବେଳେ ହାତୀମାନଙ୍କୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ନେଇ ବନବିଭାଗ ବିଫଳ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ୩ଟି ହାତୀ ଆଜି କଟକ ସହର ଉପକଣ୍ଠରେ ରହିଥିବା ଜଣାପଡ଼ିଛି । ଢେଙ୍କାନାଳ ଜଙ୍ଗଲରୁ ଆସିଥିବା ଏହି ହାତୀମାନେ ଆଜି ଦିନରେ କଟକ ବ୍ରଜବିହାରୀପୁର ଅଞ୍ଚଳରେ ଥିଲେ । ତେବେ ସଂଧ୍ୟା ହେବାରୁ ହାତୀମାନେ ଏବେ ମହାନଦୀର ଭୁଆଷୁଣୀ ପଠା ଓ ତାପେଣ୍ଡା ପଠାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହି ହାତୀ ଦଳରେ ୨ଟି ଦନ୍ତା ହାତୀ ଥିବାବେଳେ ଗୋଟିଏ ମାଈ ହାତୀ ରହିଥିବା ଜଣାପଡ଼ିଛି । ଖବର ପାଇ କଟକ ବନଖଣ୍ଡ ଏବଂ ଆଠଗଡ଼ ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କ ଉପରେ ତୀକ୍ଷ୍ନନଜର ରଖିଛନ୍ତି । କିଭଳି ଜନବସତି ଭିତରକୁ ନଆସି ହାତୀମାନଙ୍କୁ ପୁନର୍ବାର ଜଙ୍ଗଲକୁ କିଭଳି ଫେରାଇ ନେଇହେବ ସେ ନେଇ ଆଠଗଡ଼ ବନବିଭାଗ ଉଦ୍ୟମ ଜାରି ରଖିଛି । ଚୌଦ୍ୱାର ନୂଆପାଟଣା ପଟରେ ବନ କର୍ମଚାରୀମାନେ ଠିଆ ହୋଇ ହାତୀ ଘଉଡ଼ାଇବା ଲାଇଟ ବ୍ୟବହାର କରି ସେମାନଙ୍କୁ ପୁଣି ବନାଭିମୁଖୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ହାତୀମାନେ କିଭଳି ଗ୍ରାମାଭିମୁଖୀ ନହେବେ ସେଥିପାଇଁ ସରକାର ଓ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏହାଦ୍ୱାରା ବନ୍ୟଜନ୍ତୁ ଏବଂ ମଣିଷ ମାନଙ୍କ ମଧ୍ୟରେ ଚାଲିଥିବା ଅଘୋଷିତ ଲଢ଼େଇ ବନ୍ଦ ହେବା ସହ ଧନଜୀବନ ସୁରକ୍ଷିତ ରହିପାରିବ ବୋଲି କୁହାଯାଉଛି ।