କଟକରେ ସୁଭଦ୍ରା ଯୋଜନା ନିମନ୍ତେ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ
କଟକ(ଏନ୍.ଏମ୍.): କଟକ ଜିଲ୍ଲାରେ ସୁଭଦ୍ରା ଯୋଜନା ନିମନ୍ତେ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ଯୋଜନା ସମ୍ପର୍କରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଠାରୁ ପରାମର୍ଶ ଲୋଡ଼ା ଯାଇଥିଲା। ଓଡିଶା ସରକାର ମହିଳା ମାନଙ୍କର ଆର୍ôଥକ, ସାମାଜିକ ତଥା ମାନସିକ ସଶକ୍ତିକରଣ କରି ସେମାନଙ୍କର ସ୍ୱାଧିନତାକୁ ବୃଦ୍ଧି କରାଇବା ସହିତ ତାଙ୍କର ପରିବାରକୁ ସୁରକ୍ଷା ଯୋଗାଇବା ନିମନ୍ତେ “ସୁଭଦ୍ରା ଯୋଜନା-୨୦୨୪ ନାମରେ ଏକ ପ୍ରମୁଖ ଯୋଜନା ଆରମ୍ଭ କରିବାପାଇଁ ଏକ ବାସ୍ତବ ରୂପରେଖ ପ୍ରସ୍ତୁତ କରାଯିବାକୁ ସ୍ଥିର କରାଯାଇଅଛି। ଏଥିପାଇଁ ସବୁ ବର୍ଗର ମହିଳା ଅନୁଷ୍ଠାନ ବିଶେଷକରି ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନଶକ୍ତି ମହିଳା ମାନଙ୍କର ମତାମତ ନିଆଯାଉଅଛି। ଏହି ଯୋଜନା ମାଧ୍ୟମରେ ସରକାର ମହିଳା ମାନଙ୍କୁ ତାଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରାଇବା ସହିତ ସମାଜର ମୂଲ୍ୟବାନ ସଦସ୍ୟରୁପେ ସେମାନଙ୍କର ଭୂମିକାକୁ ପ୍ରୋତ୍ସାହନ କରାଇବେ। ଏଥି ସହ ମହିଳାମାନଙ୍କର ଏକାଧିକ ଦିଗରୁ ଉନ୍ନତି କରିବାର ଯୋଜନା ରଖି ସେମାନଙ୍କୁ ବୃତ୍ତିଗତ ଓ ବ୍ୟକ୍ତିଗତ ସଫଳ କରାଇବାର ଲକ୍ଷ୍ୟ ରଖିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। କେଉଁ ଆଧାରରେ କେଉଁ ମାନଙ୍କୁ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀ ବିବେଚିତ କରାଯିବ ସେହି ପ୍ରସଙ୍ଗରେ ଆଜିର ପରାମର୍ଶ ବୈଠକରେ ମାହାଙ୍ଗା ବିଧାୟକ ସାରଦା ପ୍ରସନ୍ନ ପ୍ରଧାନ, ବାରବାଟୀ-କଟକ ବିଧାୟକ ଇଂ ସୋଫିୟା ଫିର୍ଦ୍ଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବଡମ୍ବା ବିଧାୟକ ଦଳଗୋବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ପରାମର୍ଶ ସ୍ୱରୂପ ବୈଠକରେ ଆଲୋଚନା କରିଥିଲେ। ଅବିବାହିତ, ନିରୂପାୟ, ନିର୍ଯାତିତ ମହିଳାମାନଙ୍କ କଥାକୁ ବିଚାରକୁ ନେଇ ହିତାଧିକାରୀ ଚୟନ ପ୍ରକ୍ରିୟାରେ ସାମିଲ କରାଯିବାନେଇ ବୈଠକରେ ଆଲୋଚାନ କରାଯାଇଥିଲା। ଏଥିସହ ମହିଳାମାନଙ୍କ ନିମନ୍ତେ ସରକାରଙ୍କଦ୍ୱାରା ଚାଲୁରହିଥିବା ଯୋଜନା ଗୁଡିକର ଆଗାମୀ ଦିନରେ ସଫଳ ରୂପାୟନ ଓ କାର୍ଯ୍ୟକାରିତା ତଥା ସେମାଙ୍କୁ ଅଧିକ ସ୍ୱାବଲମ୍ବୀ କରାଯିବା ସମ୍ପର୍କରେ ମଧ୍ୟ ଉକ୍ତ ବୈଠକରେ ଆଲୋଚାନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ,ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନଶକ୍ତି ମହିଳା ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡଃ ଦିବ୍ୟଲୋଚନ ମୋହାନ୍ତ ଅତିଥିମାନଙ୍କ ସ୍ୱାଗତ ସହ ବୈଠକ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ ଉପ ସଭାପତି ସୁଭଦ୍ରା ଦାସ, କଟକ ଲୋକସଭା ସାଂସଦଙ୍କ ପ୍ରତିନିଧି ପ୍ରତିଭା ଶତତ୍ପଥୀଙ୍କ ସମେତ କଟକ ସଦର, ବାଙ୍କି ଏବଂ ଆଠଗଡ ଉପ ଜିଲ୍ଲାପାଳମାନେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଉପସ୍ଥିତ ଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଲି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।