କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ


କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ମେୟର/ ଚେୟାରମ୍ୟାନ ସିଧାସଳଖ ମତଦାନ ହେବ । ତେଣୁ ପୂର୍ବ ନିର୍ବାଚନ ଭଳି କର୍ପୋରେଟର/କାଉନସିଲର ମାନଙ୍କ ମଧ୍ୟରୁ ମେୟର/ଚେୟାରମ୍ୟାନ ବଛା ବଛି କରିବାକୁ ପଡ଼ୁନଥିବାରୁ ଭୋଟର ମାନେ ଉଭୟପ୍ରାର୍ଥୀଙ୍କୁ ସିଧାସଳଖ ମତଦାନ କରିବେ । ଏଥିପାଇଁ ବିଭିନ୍ନ ରାଜନୈତିକ ସ୍ତରରେ ଜୋରଦାର ଅଙ୍କକଷା ଚାଲିଛି । କିଏ କେଉଁ ଦଳରୁ ମେୟର/ଚେୟାରମ୍ୟାନ କିମ୍ବା କର୍ପୋରେଟର/କାଉନସିଲର ଏଯାଏ ଅଙ୍କ ଛିଡ଼ି ପାରୁନି । ତେବେ ଗତ ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲେ ମଧ୍ୟ ଏ ଯାଏ କୌଣସି ଦଳ ସମ୍ପୂର୍ଣ୍ଣ ପାର୍ଥୀତାଲିକା ପ୍ରକାଶ ନକରିବା ଦଳୀୟ ନେତୃତ୍ୱ ଏବଂ ସାଂଗଠନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇତିମଧ୍ୟରେ ନାମାଙ୍କନପତ୍ର କ୍ରୟ ଦାଖଲକୁ ୨ଦିନ ବିତିଯାଇଥିବାବେଳେ ଆଜି ତୃତୀୟ ଦିନରେ ପହଞ୍ôଚଛି । ତେବେ କିଛି ଆଶାୟୀ ପ୍ରାର୍ଥୀ ନାମାଙ୍କନପତ୍ର କିଣି ସାରିଥିବାବେଳେ ଦଳୀୟ ଟିକେଟକୁ ଅପେକ୍ଷା କରିଛନ୍ତି । ଆଉକିଛି ପ୍ରାର୍ଥୀ ଦଳୀୟ ସମର୍ଥନ ନପାଇବା ଜାଣି ପ୍ରତିଦ୍ୱନ୍ଦିତା କରିବା ପାଇଁ ମଧ୍ୟ ପ୍ରାର୍ଥୀପତ୍ର କିଣି ସାରିଛନ୍ତି । ତେବେ କଟକରେ ଶାସକ ବିଜେଡି, କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ମଧ୍ୟ ଚୁଡ଼ାନ୍ତ ପ୍ରାର୍ଥୀମାନଙ୍କ ତାଲିକା ପ୍ରକାଶ କରାଯାଇ ନାହିଁ । ଯାହାକୁ ନେଇ ଏବେ ଭୋଟର ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଆଶାୟୀଙ୍କ ତାଲିକା ଏତେ ଲମ୍ବା ହୋଇ ଯାଇଛି ଯେ, ଏହାକୁ ବଛାବଛି କରି ନିର୍ଦ୍ଦିଷ୍ଟ ପ୍ରାର୍ଥୀ ଚୟନ କରିବା ଦଳୀୟ ନେତୃତ୍ୱଙ୍କ ପାଇଁ ଅଛିଣ୍ଡା ଅଙ୍କ ହୋଇ ପଡ଼ିଛି । କଟକ ମହାନଗର ନିଗମରେ ଦୀର୍ଘ କିଛି ଦିନ ହେବ ମେୟର ପଦବୀ ପାଇଁ ଭିନ୍ନ ଭିନ୍ନ ଲୋକଙ୍କ ନାମ ଚର୍ଚ୍ଚାକୁ ଆସୁଛି । ଏପରିକି କିଛି ଅବସରପ୍ରାପ୍ତ ପ୍ରଶାସକଙ୍କ ନାଁ ମଧ୍ୟ ବାଦ ପଡ଼ି ନାହିଁ । ତେବେ ବିଜେଡିର ଜିଲ୍ଲା ସଭାପତି ମଧ୍ୟ ପ୍ରାର୍ଥୀ ଚୟନ ନେଇ ମୁହଁ ଖୋଲୁ ନାହାନ୍ତି । ସେପଟେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ମଧ୍ୟ ଦୋଛକିରେ ଠିଆ ହୋଇଛନ୍ତି । କେବଳ ବୈଠକ ଉପରେ ବୈଠକ କରୁଛନ୍ତି ସତ କିନ୍ତୁ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଟକ ମହାନଗର ନିଗମ ଓ ଚୌଦ୍ୱାର ପୌରାଞ୍ଚଳର କେଉଁ ୱାର୍ଡ଼ରେ କାହାକୁ ପ୍ରାର୍ଥୀକରିବେ ସେ ନେଇ ଅଡୁଆରେ ପଡ଼ିଛନ୍ତି । ଦୀର୍ଘ ଦିନ ଧରି ବିଜେଡି ଶାସନରେ ରହିବା ଯୋଗୁଁ ଏତେ ଲୋକପ୍ରିୟତା ହାସଲ କରିଛି ଯେ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମଧ୍ୟ ପୌର ନିର୍ବାଚନରେ ଶଙ୍ଖ ଚିହ୍ନରେ ପ୍ରାର୍ଥୀ ହେବା ପାଇଁ ଭିଡ ଜମାଇ ଦେଉଛନ୍ତି । ପୁନଶ୍ଚ ଏହି ନିର୍ବାଚନ ସମୟରେ ଅନ୍ୟ ରାଜନୈତିକ ଦଳ ଯୋଗ୍ୟ ପ୍ରାର୍ଥୀଟିଏ ପାଇପାରୁନଥିବାବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ମଧ୍ୟ ଦଳୀୟ ନେତୃତ୍ୱଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି । ପୌରନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଦାବି କରୁଥିବାବେଳେ ପ୍ରାର୍ଥୀପତ୍ର କ୍ରୟ ଦାଖଲର ୩ଦିନ ମଧ୍ୟରେ ପୂର୍ଣ୍ଣ ପ୍ରାର୍ଥୀତାଲିକା ପ୍ରକାଶ କରି ପାରୁନଥିବା ଏବଂ ଶେଷ ମୂହୃତ୍ତ୍ୱରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଭୋଟରଙ୍କ ମଧ୍ୟରେ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *